ପରିଣତ ବୟସରେ ବସନ୍ତଙ୍କ ସପୁରୀ ଚାଷ: ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

136

କନକ ବ୍ୟୁରୋ: ପରିଣତ ବୟସରେ ବି ଚାଷ ପ୍ରେମରେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ନରସିଂହପୁର ଗାଁର ଚାଷୀ ବସନ୍ତ ପରିଡା । ୧୯୯୯ ମସିହାରୁ ଏଯାଏଁ କରି ଆସୁଛନ୍ତି ସପୁରୀ ଚାଷ । ବାର ଗୁଣ୍ଠ ଜମିରେ ସପୁରୀ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବେଳେ ଚାଷରୁ ମିଳୁଛି ଆତ୍ମସନ୍ତୋଷ । ପରିବାରର ଅନ୍ୟମାନଙ୍କୁ ରୋଜଗାର ଦେଇ ଚାଷୀଭାଇମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଧର୍ମଶାଳା ବ୍ଲକ ନରସିଂହପୁର ଗାଁର ବସନ୍ତ କୁମାର ପରିଡା । ବସନ୍ତ ଜଣେ ଆଗଧାଡିର ଚାଷୀଭାବେ ଧର୍ମଶାଳା ଅଂଚଳରେ ବେଶ୍ ଜଣାଶୁଣା । ଆଜିକାଲିର ଲୋକେ ଚାଷରୁ ମୁହଁ ଫେରାଇ ନେଉଥିବା ବେଳେ ବସନ୍ତ କିନ୍ତୁ ଚାଷ କରି ବେଶ୍ ଖୁସି ଅଛନ୍ତି । ନିଜ ଗାଁ ପାଖ ଚାଷ ଜମିରେ ବସନ୍ତ ୧୯୯୯ ମସିହାରୁ ସପୁରୀ ଚାଷ କରି ଆସୁଛନ୍ତି । ବସନ୍ତ ପ୍ରଥମେ ଅଳ୍ପ କିଛି ଚାରା ଆଣି ପରୀକ୍ଷାମୂଳକ ଭାବେ ସପୁରୀ ଚାଷ ଆରମ୍ଭ କରିଥିଲେ । ଧିରେ ଧିରେ ଏଥିରେ ସଫଳ ହେବାରୁ ସେ ଏହି ଚାଷକୁ ଗୁରୁତ୍ୱ ଦେଇ ଜଣେ ସଫଳ ସପୁରୀ ଚାଷୀ ପାଲଟିଯାଇଛନ୍ତି । ବସନ୍ତଙ୍କ ଚାଷ ଜମିରେ ଏବେ ପାଂଚ ହଜାର ସପୁରୀ ଚାରା ଲାଗିଛି । ବର୍ତମାନ ସପୁରୀ ଗୁଡିକ ପାଚି ଆସୁଥିବାରୁ ଦୁଇ ତିନି ଦିନରେ ଥରେ ସପୁରୀ ଅମଳ କରି ବିକ୍ରି କରୁଛନ୍ତି ।

ସାଧାରଣତଃ ଜ୍ୟୋଷ୍ଠମାସରୁ ସପୁରୀ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଜମିକୁ ଭଲଭାବରେ ଚାଷ କରି ମାଟିକୁ ହାଲୁକା କରିବା ପରେ ଧାଡି ସିଆର କରି ସେଥିରେ ସପୁରୀ ଚାରା ଲଗାଯାଇଥାଏ । ସପୁରୀ ଚାରା ଲଗାଯିବା ପରେ ସେଥିରେ ସାର, ଔଷଧ ପ୍ରୟୋଗ କରିବା ସହ ପାଣି ମଡାଯାଏ । ଚାରା ଲଗାଯିବାର ତିନିମାସ ମଧ୍ୟରେ ଗଛରେ ଫଳ ଆସିଥାଏ । ପରବର୍ତି ଦୁଇମାସରେ ସପୁରୀ ପାଚିବା ସହ ଅମଳକ୍ଷମ ହୋଇଥାଏ ବୋଲି କହନ୍ତି ବସନ୍ତ । ଚଳିତ ବର୍ଷ ସପୁରୀ ଚାଷରେ ବସନ୍ତ ୨୪ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏକଲକ୍ଷ ଟଙ୍କା ବିକ୍ରି କରିବେ ବୋଲି ଆଶା ରଖିଛନ୍ତି । ଉତ୍ପାଦିତ ସପୁରୀକୁ ସେ ସ୍ଥାନୀୟ ବଜାରରେ ବିକ୍ରୀ କରୁଥିବା ବେଳେ ଉପଯୁକ୍ତ ମୂଲ୍ୟ ପାଉନଥିବା କହିଛନ୍ତି । ସପୁରୀ ଗୋଟା ୭୦ରୁ ୮୦ଟଙ୍କା ପରିବର୍ତେ ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି । ରାଜ୍ୟ ସରକାର ଯଦି ଉଦ୍ୟାନ କୃଷି ବିଭାଗ ଜରିଆରେ ବସନ୍ତଙ୍କ ଭଳି ସପୁରୀ ଚାଷୀମାନଙ୍କୁ ସରକାରୀ ସ୍ତରରେ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତେବେ ଏହି ଚାଷ ପ୍ରତି ଅନ୍ୟ ଚାଷୀଙ୍କ ଆଗ୍ରହ ବଢନ୍ତା ବୋଲି କହିଛନ୍ତି ବସନ୍ତ । ପରିଣତ ବୟସରେ ବି ବସନ୍ତଙ୍କ ଏହି ନିଆରା ଚାଷ ପ୍ରେମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।