ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର କଲେ ପ୍ରତିରକ୍ଷା ମନ୍ତ୍ରୀ । ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ରାଜନାଥ, ମେ ଶେଷ ସପ୍ତାହରେ କଂଗ୍ରେସ ପାଇଁ ପ୍ରଚାର କରିବେ ପ୍ରିୟଙ୍କା, ରାହୁଲ

110

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହି ବୟାନ ଅନେକ ଉକ୍ରଣ୍ଠା ସୃଷ୍ଟି କରିଛି । କାରଣ ଏହି ବୟାନ ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ମୋଦୀ କ୍ୟାବିନେଟର ଅନ୍ୟତମ ପାୱାରଫୁଲ ନେତା ଧର୍ମେନ୍ଦ୍ରଙ୍କ ସମ୍ପର୍କରେ ରାଜନାଥଙ୍କ ଏହି ବୟାନ, କେଉଁ ଦିଗକୁ ଇସାରା କରୁଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରେଢ଼ାଖୋଲ ନିର୍ବାଚନୀ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସଭା କରିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି- ଆପଣମାନେ କେବଳ ସାଂସଦ ବାଛିବାକୁ ଯାଉନାହାନ୍ତି ବରଂ ବହୁତ ବଡ଼ କିଛି ବାଛିବାକୁ ଯାଉଛନ୍ତି । ବୁଝିବା ଲୋକଙ୍କ ପାଇଁ ଇସାରା ହିଁ ଯଥେଷ୍ଟ ବୋଲି କହିଛନ୍ତି ।

ଏପଟେ ସଭାମଂଚରେ ଉଭୟ କଂଗ୍ରେସ ଓ ବିଜେଡି ଉପରେ ମଧ୍ୟ ବର୍ଷିଛନ୍ତି ରାଜନାଥ । କହିଛନ୍ତି- ଓଡ଼ିଶାରେ କଂଗ୍ରେସ ୫୦ ବର୍ଷ ଏବଂ ବିଜେଡି ୨୫ ବର୍ଷ ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଂଚିବା କଥା ପହଂଚିପାରିନାହିଁ । ସେହିପରି ପିଏମ୍ ଆବାସ୍, ଆୟୁଷ୍ମାନ ଯୋଜନା ଏବଂ ରତ୍ମଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏଥର ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ ଓଡିଶାରେ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ । ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ପ୍ରଚାରକୁ ଜୋରଦାର କରିବାକୁ ଯାଉଛି । ଆସନ୍ତା ୨୬, ୨୭ ଓ ୨୮ରେ ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଓ ପ୍ରିୟଙ୍କା । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର ।

ଓଡ଼ିଶାରେ ବିଜେଡି ଗୋଟିଏ ପଟେ ପ୍ରଚାର ଅଭିଯାନକୁ ତ୍ରୀବ୍ର କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଓ ବିଜେପି, ବଡ଼ ବଡ଼ କେନ୍ଦ୍ରୀୟ ନେତାଙ୍କୁ ନେଇ ଓଡ଼ିଶା ଦଖଲ ଉଦ୍ୟମ ଜାରି ରଖିଛନ୍ତି ।