କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଶୋଇବେନି ରୋଗୀ : ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଦିଆଗଲା ୧୦୦ ବେଡ୍

86

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଶୋଇବେନି ରୋଗୀ । ଏଣିକି, ବାରଣ୍ଡାରେ ଚିକିତ୍ସା ହେଲେ ବି ରୋଗୀ ବେଡ଼ ଉପରେ ଶୋଇବେ । ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ୧୦୦ଟି ରୋଗୀ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ବେଡ ଗୁଡିକୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ, ପୁରୁଷ ମେଡିସିନ୍ ଓ ମହିଳା ମେଡିସିନ୍ ବିଭାଗ ସମ୍ମୁଖ ବାରଣ୍ଡାରେ ପକାଯାଇଛି । ଏହି ବିଭାଗ ଗୁଡ଼ିକରେ ଅଧିକାଂଶ ସମୟରେ ବେଡ ଅଭାବ ଦେଖାଦେଉଥିବାରୁ କର୍ତ୍ତୃପକ୍ଷ ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ବେଡର ବ୍ୟବସ୍ଥା କରିଛନ୍ତି ।

କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲ ଉପରେ ରାଜଧାନୀ ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରୁ ଦୈନିକ ବହୁ ସଂଖ୍ୟାରେ ଲୋକ ଚିକତ୍ସା ପାଇଁ ଆସିଥାଆନ୍ତି । ରୋଗୀ ସଂଖ୍ୟା ଅନୁସାରେ ହସ୍ପିଟାଲରେ ଆବଶ୍ୟକ ଶଯ୍ୟା ନଥିବାରୁ ଅଧିକାଂଶ ସମୟରେ ରୋଗୀ ବାରଣ୍ଡାରେ ଗଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ତେଣୁ ବେଡ ସଂଖ୍ୟା ବୃଦ୍ଧି କରିବାକୁ ହସ୍ପିଟାଲ ତରଫରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା । ଦୀର୍ଘ ଦିନ ପରେ ବି ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆନଯିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିଛନ୍ତି ।