ଡିଜେ ସାଉଣ୍ଡକୁ ସାବଧାନ: ଅତ୍ୟଧିକ ସାଉଣ୍ଡରେ ଯାଇପାରେ ଜୀବନ

739

କନକ ବ୍ୟୁରୋ: ଶବ୍ଦ ପ୍ରଦୂଷଣ ଆଜିର ଦିନରେ ଏକ ଚିନ୍ତାର ବିଷୟ ପାଲଟିଗଲାଣି । ଆଜି ସାରା ବିଶ୍ୱ ଯେତେବେଳେ, ସ୍ୱାସ୍ଥ୍ୟ ଦିବସ ପାଳନ କରୁଛି, ଆମେ ଆମ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନବାନ ହେଉଛି, ସେତେବେଳେ କଟକ ମାହାଙ୍ଗା ଥାନା ଅଧୀନ ବରାହିପୁରରୁ ଆସିଛି ଏକ ଚିନ୍ତାଜନକ ଖବର । ଡିଜେର ତାଳେ ତାଳେ ନାଚୁଥିବାବେଳେ ଜଣେ ଯୁବକ ଟଳି ପଡିଛନ୍ତି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଡିଜେର ଅତ୍ୟଧିକ ଶଦ୍ଦ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ବାହାଘର ବେଳେ ବରଯାତ୍ରୀଙ୍କ ପ୍ରୋସେସନ ହେଉ କି କୌଣସି ଠାକୁର ଭସାଣୀ ଉତ୍ସବ, କିମ୍ବା ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ବାଜୁଛି ଡିଜେ । ଆଉ ଡିଜେର ତାଳେ ତାଳେ ନାଚୁଛନ୍ତି ମତୁଆଲା ଯୁବପୀଢ଼ି । କିନ୍ତୁ ଏହି ଡିଜେ ଯେ ଜଣଙ୍କ ଜୀବନ ନେଇପାରେ ତାହା ହୁଏତ ସହଜରେ ବିଶ୍ୱାସ କରିବା କଷ୍ଟକର । କିନ୍ତୁ ସେମିତି ଏକ ଅଭିଯୋଗ ଆସିଛି କଟକ ଥାନା ମାହାଙ୍ଗା ଥାନା ଅଧିନ ବରାହିପୁରରେ ବିଦେଇ ବାବାଙ୍କର ଚଇତି ମେଲଣରୁ । ସୂଚନା ଅନୁସାରେ ମେଲଣରେ ଡିଜେ ବାଜୁଥିଲା । ଡିଜେ ଗୀତର ତାଳେ ତାଳେ ଯୁବପୀଢ଼ି ଝୁମୁଥିଲେ । ହେଲେ, ନାଚୁ ନାଚୁ ଟଳି ପଡିଥିଲେ ସେହି ଗାଁର ୨୧ ବର୍ଷିୟ ଯୁବକ ରାଜେନ୍ଦ୍ର ।

ରାଜେନ୍ଦ୍ର ସେଠୀ । ବୟସ ୨୧ । ଗାଁ ମେଲଣରେ, ଯେତେବେଳେ ଡିଜେ ତାଳେ ତାଳେ ସେ ନାଚୁଥିଲେ, ସେତେବେଳେ ହୁଏତ ଭାବିନଥିବ ଏହା ହିଁ ତାଙ୍କ ଶେଷ ନାଚ ହେବ । କିନ୍ତୁ ଡିଜେ ଗୀତରେ ନାଚିବା ତାଙ୍କ ପାଇଁ ମହଙ୍ଗା ପଡିଲା । ଆଉ ନାଚୁ ନାଚୁ ଟଳି ପଡିଥିଲେ । ହସ୍ପିଟାଲରେ ଭର୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାଜେନ୍ଦ୍ରଙ୍କ ମୃତ୍ୟୁର କାରଣ କଣ ସ୍ପଷ୍ଟ ହୋଇନଥିଲେ ବି ଡିଜେରେ ନାଚିବାବେଳେ ଟଳି ପଡିବା ଓ ମୃତ୍ୟୁ ହେବା ଅନେକ ସନ୍ଦେହ ସୃଷ୍ଟି କରିଛି । କାରଣ ଯେତେ ଜୋରରେ ଡିଜେ ବାଜୁଛି ତାହା ଜଣଙ୍କ ମୃତ୍ୟୁର କାରଣ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଡିଜେ ଗୀତରେ ନାଚୁଥିବାବେଳେ ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ, ଡିଜେ ସାଉଣ୍ଡ ସ୍ୱାସ୍ଥ୍ୟ ଉପରେ କେମିତି ପ୍ରଭାବ ପକାଇଥାଏ, ସେନେଇ ହୃଦରୋଗ ବିଶେଷଜ୍ଞ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,
ଡିଜେ ସାଉଣ୍ଡର ପ୍ରଭାବ..

– ଅତ୍ୟଧିକ ଡିଜେ ସାଉଣ୍ଡ ସ୍ୱାସ୍ଥ୍ୟ ଉପରେ ଗୁରତର ସମସ୍ୟା ସୃଷ୍ଟି କରିପାରେ
– ମଣିଷ ଶରୀରରେ ଥିବା ସିମ୍ପାଥେଟିକ୍ ନର୍ଭ ସିଷ୍ଟମ ଅଧିକ ସକ୍ରିୟ ହୋଇଯାଏ
– ହୃଦସ୍ପନ୍ଦନ ଅସ୍ୱାଭାବିକ ଭାବେ ବଢ଼ିଯାଏ
– ରକ୍ତଚାପ ବଢ଼ିପାରେ କିମ୍ବା କମିପାରେ
– ଫଳରେ ଜୀବନ ଯିବାର ଆଶଙ୍କ ରହିଛି

ସେହିପରି ଇଏନଟି ସ୍ପେଶାଲିଷ୍ଟ କହିଛନ୍ତି, ଡିଜେ ସାଉଣ୍ଡ ୬୫ରୁ ୭୦ ଡେସିମେଲ ଅତିକ୍ରମ କଲେ କାନ ଉପରେ ବହୁତ ପ୍ରଭାବ ପକାଇବ । ସ୍ୱାଭାବିକ ଡେସିମେଲରୁ ଅଧିକ ଶବ୍ଦ ବିପଦଜ୍ଜନକ ।
ତେଣୁ ଦିନକୁ ଦିନ ଯେଉଁଭଳି ଡିଜେ ବ୍ୟବହାର ବଢ଼ି ଚାଲିଛି, କେତେ ଡେସିମେଲ ପର୍ଯ୍ୟନ୍ତ ବାଜି ପାରିବ, ସେଥିପାଇଁ ସରକାର ସ୍ୱତନ୍ତ୍ର ନିୟମ ଆଣିବାର ଆବଶ୍ୟକତା ରହିଛି ।