ଚିନ୍ତା ବଢ଼ାଉଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୬୦୫୦ ରୋଗୀ ଚିହ୍ନଟ, ଦିନକରେ ଗଲା ୧୪ ଜୀବନ

166

କନକ ବ୍ୟୁରୋ: ଦିନକୁ ଦିନ ଦେଶରେ ବଢୁଥିବା କରୋନା ସଂକ୍ରମଣ ପୁଣି ଥରେ ଡରାଇଲାଣି । ମାର୍ଚ୍ଚ ମାସ ଶେଷ ସପ୍ତାହରୁ ବୃଦ୍ଧି ପାଉଥିବା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସଂକ୍ରମଣ ମାମଲା ୧୩ ପ୍ରତିଶତ ବୃଦ୍ଧି ପାଇ ୬ ହଜାର ଟପିଯାଇଛି । ଗୁରୁବାର ମାମଲା ୫ହଜାର ୩୩୫ ରହିଥିବାବେଳେ ଶୁକ୍ରବାର ୬ ହଜାର ୫୦ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମଣ ସଂଖ୍ୟା ୨୮ ହଜାର ପାର୍ କରିଥିବା ବେଳେ ଦିନକରେ ୧୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ପ୍ରତିଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କରୋନା ସମୀକ୍ଷା ବୈଠକ କରିଛନ୍ତି ।

ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କରୋନାକୁ ନେଇ ସତର୍କ କରାଇଛନ୍ତି । ଆଗାମୀ ୨ ମାସରେ କରୋନାର ଦୈନିକ ସଂକ୍ରମଣ ୧୫ରୁ ୨୦ହଜାର ପର୍ଯ୍ୟନ୍ତ ପହଞ୍ଚିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ସେପଟେ କରୋନା ସଂକ୍ରମଣ ବୃଦ୍ଧି ଭିତରେ ସ୍ୱାସ୍ଥ୍ୟବିଶେଷଜ୍ଞ ଓ ନୀତି ଆୟୋଗ ପରାର୍ମଶଦାତା ଚନ୍ଦ୍ରକାନ୍ତ ଲହରିଆ କହିଛନ୍ତି ଦେଶରେ କୋଭିଡର ୪ର୍ଥ ଲହର ଆସିବା ଆଶଙ୍କା ବେଶ କମ ରହିଛି କିନ୍ତୁ ଏଭଳି ଥଣ୍ଡା,ଜ୍ୱର ବିଭିନ୍ନ ଋତୁରେ ବୃଦ୍ଧି ପାଇବ । କେବେ କମ ହୋଇପାରେ, କେବେ ବଢ଼ିପାରେ । ସଂକ୍ରମଣ ବୃଦ୍ଧି ପାଇଲେ ବି ଗୁରୁତର ହେବା ଆଶଙ୍କା କମ ରହିଛି ଓ ମୃତ୍ୟୁ ମଧ୍ୟ କମ ହେବ ।

ଗତ ୩ବର୍ଷ ପରି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷରୁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି । ବିଶେଷଜ୍ଞ କହୁଛନ୍ତି ସଂକ୍ରମଣ ବୃଦ୍ଧି ପଛରେ ଏକ୍ସବିବି ସିଷ୍ଟିନ କରୋନା ଭାଇରସ ରହିଛି । ଯଦିଓ ଏହା ମାରାତ୍ମକ ନୁହେଁ କିନ୍ତୁ ଦ୍ରୁତ ଗତିରେ ମାଡୁଛି । ବୟସ୍କ, ଶିଶୁ, ଗର୍ଭବତୀ ଓ ବହୁବ୍ୟାଧିରେ ପୀଡିତ ଲୋକଙ୍କୁ ସଜାଗ ରହିବାକୁ ବାରମ୍ବାର ପରାର୍ମଶ ଦିଆଯାଉଛି ।