ଟ୍ୱିଟରରେ ଟ୍ରେଣ୍ଡ ହେଉଛି #ArrestJubinNautiyal  । ଜାଣନ୍ତୁ କାହିଁକି

2,377

କନକ ବ୍ୟୁରୋ: ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ନୌତିୟାଲଙ୍କୁ ଗିରଫ କରିବାକୁ ଦାବି ହେଉଛି । ଏନେଇ ସୋସିଆଲ ମିଡିଆରେ ବି ଜୋରସୋର ଟ୍ରେଣ୍ଡ୍ ହେଉଛି । ନିଜର ପରବର୍ତ୍ତୀ କନସର୍ଟ ପାଇଁ ଅଡୁଆରେ ଫସିଛନ୍ତି ଜୁବିନ୍ । ଏବେ କନସର୍ଟର ପୋଷ୍ଟରକୁ ନେଇ ଟ୍ରୋଲ ହେଉଛନ୍ତି ଜୁବିନ୍ ।

ପ୍ରକୃତ ଘଟଣା ହେଉଛି ଜୁବିନ ନୌତିୟାଲଙ୍କର ଏକ କନସର୍ଟ ହେବାର ଥିଲା । ଏଥିପାଇଁ ସହରର ଚାରିଆଡେ ପୋଷ୍ଟର ମଧ୍ୟ ଲାଗିଲା ଏବଂ ପୋଷ୍ଟରରେ ଆୟୋଜକଙ୍କ ଫଟୋ ସହ ନାଁ ସବୁକିଛି ଛପାଯାଇଥିଲା । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଲା । ସୂଚନା ମୁତାବକ, ପୋଷ୍ଟରରେ ଯେଉଁ ଆୟୋଜକଙ୍କ ପୋଷ୍ଟର ଲାଗିଛି ତାଙ୍କ ନାଁ ଜୟ ସିଂହ ଲେଖାଯାଇଛି । ହେଲେ ଉକ୍ତ ବ୍ୟକ୍ତି ନିଜ ନାଁ ତାହା ନୁହେଁ ବରଂ ତାଙ୍କର ପ୍ରକୃତ ନାଁ ହେଉଛି ରେହାନ୍ ସିଦ୍ଦିକି ।

ରେହାନ୍ ଜଣେ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ । ଗତ ୩୦ ବର୍ଷ ଧରି ପୋଲିସ ତାଙ୍କୁ ଖୋଜୁଥିଲା । ଏତିକିରେ କଥା ସରୁନି । ରେହାନ୍ ସିଦ୍ଦିକି ଜଣେ ଡ୍ରଗ୍ସ ବେପାରୀ । ତା’ର ଆତଙ୍କବାଦୀ ସଙ୍ଗଠନ ଆଇଏସଆଇ ସହ ଘନିଷ୍ଠ ସମ୍ପର୍କ ଥିବା ମଧ୍ୟ ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି । ତା’ ବିରୋଧରେ ଖାଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଏକାଧିକ ଅପରାଧିକ ମାମଲା ରହିଥିବା ଅଭିଯୋଗ ହୋଇଛି ।

ଏହି କ୍ରମରେ ଜୁବିନଙ୍କର ତାଙ୍କ ସହ କିପରି ସମ୍ପର୍କ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ । ତେଣୁ ଯଥାଶୀଘ୍ର ଜୁବିନଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ଏହାସହ ଟ୍ୱିଟରରେ #ArrestJubinNautiyal  ଟ୍ରେଣ୍ଡ ହେଉଛି ।