ଇସ୍ରାଏଲ-ହମାସ ଯୁଦ୍ଧ : ବାପାଙ୍କ ତିଆରି ସୁଡ଼ଙ୍ଗରେ ଦୁଇବର୍ଷ ତାପରେ ଭୟଙ୍କର ମୃତ୍ଯୁ : ନେତାନ୍ୟାହୁ ବଖାଣିଲେ ଆନୀ ଫ୍ରାଙ୍କର କାହାଣୀ

111

 ଆନୀ ଫ୍ରାଙ୍କ ଡାଏରୀ: ଯେତେବେଳେ ଆନୀ ଫ୍ରାଙ୍କଙ୍କ ଡାଏରୀ ପ୍ରକାଶିତ ହେଲା ସେତେବେଳେ ତାହା ଦୁନିଆର ଗୁରୁତ୍ୱପୂର୍ଣ୍ଣ ପୁସ୍ତକଗୁଡ଼ିକ ମଧ୍ୟରେ ସ୍ଥାନ ପାଇଲା ।  ଏହାକୁ ୭୦ ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି ।

ଆନୀ ଫ୍ରାଙ୍କଙ୍କ କାହାଣୀ: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱ ପ୍ରସିଦ୍ଧ ପୁସ୍ତକ ‘ଡାଏରୀ ଅଫ୍ ୟଙ୍ଗ ଗାର୍ଲ’ର ଲେଖକ ଆନୀ ଫ୍ରାଙ୍କଙ୍କୁ ମନେ ପକାଇ  କହିଛନ୍ତି, ‘ଲାଗୁଛି ଯେପରି ଆନୀ ଫ୍ରାଙ୍କ କାହାଣୀ ପୁଣି ଆମ ପାଖକୁ ଫେରି ଆସିଛି । ସେତେବେଳ ହୋଲୋକୋଷ୍ଟ(ୟୁହିଦି ଗଣହତ୍ୟା)ର ଭୟାବହତା ଆଜି ପରି ଭୟଙ୍କର । ଏତିକି ତଫାତ ଯେ ଆଜି ଆମର ଏକ ରାଜ୍ୟ, ଏକ ସୈନ୍ୟବାହିନୀ ଏବଂ ଲୋକ ଅଛନ୍ତି ଯେଉଁମାନେ ଯୁଦ୍ଧ କରିପାରିବେ । ଆଜି  ଆମେ କେବଳ ନିଜ ନିଜ ଯୁଦ୍ଧ ନୁହେଁ, ବରଂ ଆମେ ସମସ୍ତ ସଭ୍ୟ ଦେଶ ତଥା ସମସ୍ତ ସଭ୍ୟ ଲୋକଙ୍କ ପାଇଁ ଯୁଦ୍ଧ କରୁଛୁ । ହାମାସ ବିରୋଧରେ ଯୁଦ୍ଧକୁ ସମର୍ଥନ କରିବାକୁ ବିଶ୍ୱକୁ ନିବେଦନ କରି ସେ କହିଛନ୍ତି, ‘ଯେପରି ନାଜିମାନଙ୍କ ସହ ଲଢିବା ପାଇଁ ସଭ୍ୟ ଦେଶମାନେ ମିଳିତ ହେଇଥିଲେ ସେମିତି ଆଇଏସଆଇଏସ, ଅଲ-କାଏଦା ଓ ହମାସ ପରି ଆତଙ୍କବାଦୀ ସଂଗଠନ ସହ ଲଢିବା ପାଇଁ ସମସ୍ତେ ଏକଜୁଟ ହେବା ଆବଶ୍ୟକ । ହମାସ ବିରୁଦ୍ଧରେ ଚାଲିଥିବା ଏ ଯୁଦ୍ଧରେ ସମସ୍ତେ ସାମିଲ ହେବା ଦରକାର ।

ଆନୀ ଫ୍ରାଙ୍କ କିଏ, ଯାହାଙ୍କୁ ନେତାନ୍ୟାହୁ ମନେ ରଖିଛନ୍ତି ?

କାହିଁକି ତାଙ୍କ ଦ୍ୱାରା ଲିଖିତ ଡାଏରୀ ସାରା ବିଶ୍ୱରେ ପ୍ରସିଦ୍ଧ ହେଲା ?  

ଏବେ ମଧ୍ୟ ଲୋକମାନେ କାହିଁକି ତାଙ୍କ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ ରଖୁଛନ୍ତି ?

ଆନୀ ଫ୍ରାଙ୍କ ୧୯୨୯  ମସିହାରେ ଜର୍ମାନୀର ଫ୍ରାଙ୍କଫର୍ଟ ସହରରେ ଜନ୍ମଗ୍ରହଣ କରିଥିଲେ । ଆନୀଙ୍କ ଭଉଣୀ ମାରଗୋଟ୍ ତାଙ୍କଠାରୁ ତିନି ବର୍ଷ ବଡ ଥିଲେ । ଏହା ସେହିସମୟର କଥା ଯେତେବେଳେ ଜର୍ମାନୀରେ ଆଡଲଫ୍ ହିଟଲର ଏବଂ ତାଙ୍କ ଦଳ ଅଧିକରୁ ଅଧିକ ସମର୍ଥକ ପାଉଥିଲେ । ହିଟଲର ୟିହୁଦୀମାନଙ୍କୁ ଘୃଣା କରୁଥିଲେ ଏବଂ ଦେଶର ସମସ୍ୟା ପାଇଁ ସେମାନଙ୍କୁ ଦାୟୀ କରିଥିଲେ । ସେତେବେଳେ ଜର୍ମାନୀରେ ବେକାରୀ ଏବଂ ଦାରିଦ୍ର୍ୟ ଚରମସୀମାରେଥିଲା । ସେତେବେଳେ ଜର୍ମାନୀରେ ୟିହୁଦୀ ବିରୋଧୀ ଭାବନା ମୁଣ୍ଡ ଟେକିବା ଆରମ୍ଭ କରିସାରିଥିଲା । ୟିହୁଦି ମାନଙ୍କୁ ବହିଷ୍କାର କରିବା ଆରମ୍ଭ ହେଇସାରିଥିଲା । ଧୀରେ ଧୀରେ ଆନୀଙ୍କ ପରିବାରର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲା । ଆର୍ଥିକ ଅବସ୍ଥା ଖରାପ ହେତୁ ଆନୀଙ୍କ ପିତାମାତା ଅଟ୍ଟୋ ଏବଂ ଏଡିଥ୍ ଫ୍ରାଙ୍କ ଆମଷ୍ଟରଡାମ୍ ଯାଇ ରହିବାକୁ ସ୍ଥିର କଲେ ।

ସେଠାରେ ଅଟ୍ଟୋ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ ଜାମ ତିଆରି କରିବା ପାଇଁ ବ୍ଯବହୃତ ହେଉଥିବା ପେକ୍ଟିନର କାରବାର ଆରମ୍ଭ କରିଥିଲେ ।ନେଦରଲ୍ୟାଣ୍ଡରେ ଆନୀଙ୍କ ଜୀବନଆନୀ ନେଦରଲ୍ୟାଣ୍ଡରେ ନୂଆ ପରିଦେଶକୁ ଖୁବ ଶୀଘ୍ର ଆପଣେଇ ନେଲେ । ସେଠାରେ ସେ ନୂଆ ନୂଆ ସାଙ୍ଗମାନଙ୍କ ତାଙ୍କ ଘର ନିକଟରେ ଥିବା ଏକ ଡଚ୍ ସ୍କୁଲକୁ ଗଲେ । ତାଙ୍କ ବ୍ୟବସାୟକୁ ସଫଳ କରିବା ପାଇଁ ତାଙ୍କ ପିତା କଠିନ ପରିଶ୍ରମ କରିଥିଲେ, ଯଦିଓ ସେଠାର ତାହା ଏତେ ସହଜ ନଥିଲା । ଅଟ୍ଟୋ ମଧ୍ୟ ଇଂଲଣ୍ଡରେ ଏକ କମ୍ପାନୀ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯୋଜନା ବିଫଳ ହୋଇଥିଲା । ଯେତେବେଳେ ସେମାନେ ପେକ୍ଟିନ୍ ବ୍ୟତୀତ ହଳଦୀ ଏବଂ ମସଲା ବିକ୍ରୟ କରିବା ଆରମ୍ଭ କଲେ ଜିନିଷ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ ।

ଜର୍ମାନୀର ନେଦରଲ୍ୟାଣ୍ଡ ଅକ୍ତିଆର

ସେପ୍ଟେମ୍ବର ୧, ୧୯୩୯ ରେ, ଯେତେବେଳେ ଆନୀକୁ  ମାତ୍ର ୧୦ ବର୍ଷ ହୋଇଥିଲା  ଜର୍ମାନୀ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା ଏବଂ ଏହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଇଥିଲା । କିଛିଦିନ ପରେ ମେ’ ୧୦, ୧୯୪୦ ରେ ନାଜିମାନେ ମଧ୍ୟ ନେଦରଲ୍ୟାଣ୍ଡ ଉପରେ ଆକ୍ରମଣ କରିଥିଲେ। ପାଞ୍ଚ ଦିନ ପରେ ଡଚ୍ ସେନା ଆତ୍ମସମର୍ପଣ କରିଦେଲା । ଧୀରେ ଧୀରେ ନାଜିମାନେ ନେଦରଲ୍ୟାଣ୍ଡରେ ଅଧିକରୁ ଅଧିକ ଆଇନ ଏବଂ ନିୟମ ଲାଗୁ କଲେ ।  ଯାହା ୟିହୁଦୀମାନଙ୍କ ପାଇଁ ବଞ୍ଚିବା ବହୁତ କଷ୍ଟସାଧ୍ୟ ହେଇଗଲା । ଉଦାହରଣ ସ୍ୱରୂପ ୟିହୁଦୀମାନେ ପାର୍କ, ପ୍ରେକ୍ଷାଳୟ ପରି ସର୍ବସାଧାରଣ ସ୍ଥାନ ବ୍ୟବହାର କରିପାରିବେନାହିଁ ଏବଂ ଅଣ-ୟିହୁଦୀ ଦୋକାନକୁ ଯାଇପାରିବେ ନାହିଁ । ଏହି ନିୟମଗୁଡିକ ହେତୁ ଆନୀର ଜୀବନ ଅଧିକରୁ ଅଧିକ ସୀମିତ ହେଇଚାଲିଲା । ତାଙ୍କ ପିତାଙ୍କୁ କମ୍ପାନୀ ବନ୍ଦ କରିବାକୁ ପଡିଲା କାରଣ ୟିହୁଦୀମାନଙ୍କୁ ଆଉ ନିଜର ବ୍ୟବସାୟ ଚଳାଇବାକୁ ଅନୁମତି ଦିଆଗଲା ନାହିଁ । ଆନୀ ସମେତ ସମସ୍ତ ୟିହୁଦୀ ପିଲାମାନଙ୍କୁ ପୃଥକ ୟିହୁଦୀ ବିଦ୍ୟାଳୟକୁ ଯିବାକୁ ପଡିଲା ।

ଆନୀକୁ ଏକ ଗୁପ୍ତ ସ୍ଥାନରେ ଲୁଚିବାକୁ ପଡୁଥିଲା

ନାଜି ଶାସନ ଅଧୀନରେ ୟିହୁଦୀମାନଙ୍କୁ ଡେଭିଡ ଷ୍ଟାର ଚିହ୍ନ ଥିବା ନିଜ ପୋଷାକରେ ପିନ୍ଧିବା ଆରମ୍ଭ କରିବାକୁ ପଡିଲା ଏବଂ ସମସ୍ତ ଯିହୁଦୀଙ୍କୁ ନେଦରଲ୍ୟାଣ୍ଡ ଛାଡିବାକୁ ପଡିବ ବୋଲି ଗୁଜବ ପ୍ରଚାରିତ ହୋଇଥିଲା । ଯେତେବେଳେ ଆନୀଙ୍କ ବଡ ଭଉଣୀ ମାରଗୋଟକୁ  ଜୁଲାଇ ୫ , ୧୯୪୨ ରେ ନାଜି ଜର୍ମାନୀର ତଥାକଥିତ ‘ଶ୍ରମ ଶିବିର’କୁ ରିପୋର୍ଟ କରିବାକୁ କୁହାଯାଇଥିଲା ।  ସେତେବେଳେ ତାଙ୍କ ପିତାମାତା ସନ୍ଦେହ କରୁଥିଲେ। ସେ ବିଶ୍ୱାସ କରିନଥିଲେ ଯେ ମାରଗୋଟକୁ କୌଣସି  କାମ କରିବାକୁ ଡକାଯାଉଛି ।

ନିର୍ଯ୍ୟାତନାକୁ ଏଡାଇବା ପାଇଁ ଫ୍ରାଙ୍କ ପରିବାର ଲୁଚି ରହିବାକୁ ନିଷ୍ପତ୍ତି ନେଇଥିଲେ ।

୧୯୪୨ ର ବସନ୍ତରେ, ଆନୀଙ୍କ ପିତା ତାଙ୍କ ବ୍ୟବସାୟ ପରିସରର ଏକ ସ୍ଥାନରେ ସୁଡ଼ଙ୍ଗ ଖୋଲି ଲୁଚିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ ।  ତାଙ୍କର ପୂର୍ବ ସହକର୍ମୀଙ୍କ ମାନେ ମଧ୍ୟ ତାଙ୍କୁ ଏ କାମରେ ସାହାଯ୍ୟ କରିଥିଲେ ।  ଖୁବ୍ ଶୀଘ୍ର ଆଉ ଚାରି ଜଣ ଲୋକ ସେମାନଙ୍କ ସହ ଯୋଗଦାନ କଲେ ।  ଲୁଚି ରହିଥିବା ସ୍ଥାନଟି ଖୁବ ଛୋଟ ଥିଲା ।  ଆନୀକୁ ବହୁତ ଚୁପ୍ ରହିବାକୁ ପଡୁଥିଲା ଏବଂ ଅନେକ ସମୟରେ ଭୟରେ ଅତିବାହିତ କରୁଥିଲେ ।

ଆନୀ ତାଙ୍କର ତ୍ରୟୋଦଶ ଜନ୍ମଦିନରେ (ସେ ଲୁଚିବା ପୂର୍ବରୁ) ଏକ ଡାଏରୀ ଉପହାରରେ ପାଇଥିଲେ । ଗୁପ୍ତ ସ୍ଥାନରେ ଲୁଚି ରହିଥିବା ଦୁଇ ବର୍ଷ ମଧ୍ୟରେ ଆନୀ ନିଜ  ଅନୁଭୂତି ସେହି ଡାଏରୀରେ ଲେଖିଥିଲେ ।  ଏଥିସହ ସେ କ୍ଷୁଦ୍ରଗଳ୍ପ ସହ ଏକ ଉପନ୍ୟାସ ଆରମ୍ଭ କରିଥିଲେ। ସମୟ କାଟିବା ପାଇଁ ଲେଖିବା ଆନିଙ୍କୁ ବହୁତ ସାହାଯ୍ୟ କରିଥିଲା ।

ତାଙ୍କ ଲୁଚିବା ସ୍ଥାନ ଧରା ପଡିଗଲା

ଆନୀ ଓ ତାଙ୍କ ପରିବାର ଏବଂ ଲୁଚି ରହିଥିବା ଅନ୍ୟମାନେ ୪ ଅଗଷ୍ଟ ୧୯୪୪ ରେ ପୋଲିସ ଅଧିକାରୀଙ୍କ ଦ୍ଵାରା ଧରା ପଡ଼ିଯାଇଥିଲା । ଆନୀଙ୍କ  ପରିବାରକୁ ଅଶ୍ୱିଜ କନଷ୍ଟ୍ରେସନ କ୍ୟାମ୍ପକୁ ପଠାଇ ଦିଆଯାଇଥିଲା । ମହିଳା ଶିବିରରେ ଆନୀ, ମାରଗୋଟ୍ ଏବଂ ତାଙ୍କ ମା’ଙ୍କୁ ରଖାଯାଇଥିବାବେଳେ ଅଟୋଙ୍କୁ ପୁରୁଷ ଶିବିରରେ ରଖାଯାଇଥିଲା ।ନଭେମ୍ବର ୧୯୪୪ ର ପ୍ରାରମ୍ଭରେ, ଆନୀ, ତାଙ୍କ ବଡ଼ ଭଉଣୀ ମାରଗୋଟଙ୍କୁ ବର୍ଗେନ୍-ବେଲସେନ୍ କନଷ୍ଟ୍ରେସନ କ୍ୟାମ୍ପକୁକୁ ପଠାଇ ଦିଆଯାଇଥିଲା ।  ତାଙ୍କ ପିତାମାତା ଅଶ୍ୱିରେ ରହିଥିଲେ ।ବର୍ଗେନ୍-ବେଲସେନର ପରିବେଶ ବହୁତ ଅସ୍ୱାସ୍ଥକର ଥିଲା । ଶିବିରରେ ଖାଦ୍ୟର ଅଭାବ, ଅତ୍ୟଧିକ ଥଣ୍ଡା  ଥଣ୍ଡା, ଆର୍ଦ୍ର ପରିବେଶ ଏବଂ ସଂକ୍ରାମକ ରୋଗ ଦେଖାଯାଉଥିଲା । ଆନୀ ଏବଂ ମାରଗଟଙ୍କୁ ଟାଇଫସ୍ ରୋଗ ହେଇଯାଇଥିଲା । ଏହାର ପ୍ରଭାବରେ ଫେବୃଆରୀ ୧୯୪୫ ରେ ଉଭୟଙ୍କର ମୃତ୍ୟୁ ହୋଇଥିଲା, ପ୍ରଥମେ ମାରଗୋଟ୍ ଏବଂ ତାପରେ ଆନୀଙ୍କର ।

କିଛିଦିନ ପରେ ରୁଷ ସେନା ଅଶ୍ୱିଜ ଦଖଲ କରି ସେଠାରେ ଥିବା ଲୋକଙ୍କୁ ମୁକ୍ତ କରିଥିଲେ । ତାଙ୍କ ପରିବାରରେ କେବଳ ଅଟୋ ଫ୍ରାଙ୍କ ବଞ୍ଚିଥିଲେ । ବାହାରକୁ ଆସିବା ପରେ ସେ ତାଙ୍କର ଦୁଇ ଝିଅଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ । ପତ୍ନୀଙ୍କର ମୃତ୍ଯୁ ବାବଦରେ ସେ ପୂର୍ବରୁ ଜାଣିଥିଲେ । ପରେ ଅଟୋ ତାଙ୍କ ଝିଅ ଆନୀର ଡାଏରୀ ବିଷୟରେ ଜାଣିବାକୁ ପାଇଲେ ।  ଯେତେବେଳେ ଏହି ଡାଏରୀ ପ୍ରକାଶିତ ହେଲା, ଏହା ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ମଧ୍ୟରେ ସ୍ଥାନ ପାଇଲା । ଏହାକୁ ୭୦ ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି ।