୧୧ ଜଣ ଆଦିବାସୀ ମହିଳାଙ୍କ ସହ ୨୧ ପୋଲିସ କର୍ମୀ କରିଥିଲେ ଦୁଷ୍କର୍ମ ! ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଛାଡ ପାଇଲେ ସମସ୍ତ ଅଭିଯୁକ୍ତ

373

କନକ ବ୍ୟୁରୋ : ୧୧ ଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୧ ଜଣ ପୋଲିସକର୍ମୀଙ୍କ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଏହି ମାମଲା ୨୩ବର୍ଷ ତଳେ ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ ସୀତାରାମରାଜୁ ଜିଲ୍ଲାରେ ଘଟିଥିଲା । ଏବେ କୋର୍ଟ ଅଭିଯୁକ୍ତମାନଙ୍କୁ ଯାଂଚ ଅଧିକାରୀଙ୍କ ବିଫଳତା କାରଣରୁ ଛାଡ କରାଯାଇଥିବା ଆଲୋଚନା ହେଉଛି ।

୨୦୦୭ ମସିହା ଅଗଷ୍ଟ ମାସରେ ଏକ ବିଶେଷ ଟିମ୍ ଗ୍ରେହାଉଣ୍ଡରେ ଚାକିରୀ କରିଥିବା ୨୧ ଜଣ ପୋଲିସ କର୍ମୀ ଏହି ଆଦିବାସୀ ମହିଳାମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି ୨୦୧୮ ମସିହାରେ ବିଶାଖପାଟନମ୍ କୋର୍ଟରେ ଆରମ୍ଭ ହୋଇଥିଲା । ହେଲେ ଚଳିତମାସ ୬ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ କ୍ରମରେ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜର୍ଜ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ମାମଲାର ଶୁଣାଣି ସମାପ୍ତ କରିଛନ୍ତି । ଏହାସହ କୋର୍ଟ ଜିଲ୍ଲା ବୈଧିକ ସେବା ପ୍ରାଧୀକରଣକୁ ପୀଡିତାମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଏହି ମାମଲାରେ ଅଭିଯୁକ୍ତ ଥିବା ପୋଲିସକର୍ମୀମାନଙ୍କ ମଧ୍ୟରୁ କାହାରିକୁ ଗିରଫ କରାଯାଇ ନଥିଲା ଓ ଏବେ ଅନେକ ଅଭିଯୁକ୍ତ ପୋଲିସକର୍ମୀ ଅବସର ନେଇସାରିଥିବା କଥା ଜଣେ ମାନବାଧିକାର କର୍ମୀ କହିଛନ୍ତି ।

କହିରଖୁ କି ୨୩ ବର୍ଷ ତଳେ ଅଭିଯୋଗ ହୋଇଥିଲା କି ୨୧ ସଦସ୍ୟ ବିଶିଷ୍ଠ ବିଶେଷ ପୋଲିସ ଟିମ୍ ତଲାସୀ ଅଭିଯାନ କ୍ରମରେ ଗାଁକୁ ଯାଇଥିଲା । ସେଠାରେ ରହୁଥିବା ଆଦିବାସୀ ବସ୍ତି ଭିତରେ ପଶି ପୋଲିସ ୧୧ଜଣ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ହେଲେ କୋର୍ଟ ଏବେ ପୀଡିତା ମହିଳାମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବା ପରେ ଏହା ପ୍ରମାଣିତ ହୋଇଛି ଯେ ବାସ୍ତବରେ ସେମାନଙ୍କ ସହ ଦୁଷ୍କର୍ମ ହୋଇଥିଲା ।