ଗୁଣିଆ ସନ୍ଦେହରେ ଗାଁରେ ରଖେଇ ଦେଲେନି: ବାରମ୍ବାର ଦେଲେ ଧମକଚମକ, ଜୀବନ ବିକଳରେ ଗାଁ ଛାଡି ଅନ୍ୟ ଗାଁରେ ନେଇଛନ୍ତି ଆଶ୍ରୟ

78

କନକ ବ୍ୟୁରୋ: ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୋଟିଏ ପରିବାର ଗାଁ ଛାଡି ବେସାହାରା ପାଲଟିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ରାଜଖମା ଗାଁରୁ ।

ନିଜ ଭିଟାମାଟି ଛାଡି ବାହାରେ ରହିବା କେତେ କଷ୍ଟକର ଯିଏ ବିସ୍ଥାପିତ ହୋଇଛି ସେ ଜାଣିଛି । ଆଉ ଯଦି ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀଙ୍କ ଧମକ ପାଇଁ ଗାଁ ଛାଡିବାକୁ ହୁଏ, ନିଜ ଘର ଛାଡି ପର ଗାଁରେ ପିଲା ଛୁଆଙ୍କୁ ଧରି ମୁଣ୍ଡ ଗୁଂଜିବାକୁ ପଡେ, ତେବେ ସେ ଯନ୍ତ୍ରଣା ଆହୁରି ବଢିଯାଏ । ଯାହ ଭୋଗୁଛନ୍ତି ଗଜପତି ରାଜଖମା ଗାଁର ସନ୍ୟାସୀ ଦଳପତିଙ୍କ ପରିବାର ।

ବୁଢା ବାପା, ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ଅନ୍ୟ ଗାଁରେ ରହୁଛନ୍ତି ସନ୍ୟାସୀ । ଆଉ ଅଡବା ଥାନାରେ ଅଭିଯୋଗ କରିଛନ୍ତି, ଗୁଣିଆ ସନ୍ଦେହ କରି ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଗ୍ରାମବାସୀ, ତେଣୁ ସେ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ସେପଟ ଏ ସପଂର୍କରେ ମାମଲା ରୁଜୁ ହୋଇଛି, ଉଭୟ ଗୋଷ୍ଠୀଙ୍କୁ ଡାକି ତଦନ୍ତ କରୁଥିବା କହିଛନ୍ତି, ଥାନା ଅଧିକାରୀ ସୁବ୍ରତ ପଣ୍ଡା ।