ଜାତୀୟ ସ୍ତରୀୟ ବାସ୍କେଟ୍ ଖେଳାଳିଙ୍କ ଦୟନୀୟ ଅବସ୍ଥା । ପରିବାର ଚଳାଇବା ପାଇଁ କରିଛନ୍ତି ଜଳଖିଆ ଦୋକାନ

53

କନକ ବ୍ୟୁରୋ: କଥାରେ ଅଛି ଦୃଢ ଇକ୍ତାଶକ୍ତି ଆଗରେ ହାରମାନେ ସବୁକିଛି । ନିଜର ଦୁଇଗୋଡ ଅଚଳ ସତ୍ତ୍ୱେ ବାସ୍କେଟ ବଲ ଖେଳି ଜାତୀୟ ସ୍ତରରୁ ସାଉଁଟିଛନ୍ତି ଅନେକ ସଫଳତା । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ କଲଣ ଗାଁର ସରୋଜ କୁମାର ସାହୁଙ୍କ କଥା । ଏବେ ଅଭାବ ଯୋଗୁଁ ଜଳଖିଆ ତିଆରି କରି ପରିବାର ଚଳାଉଛନ୍ତି । ତେବେ ସରୋଜଙ୍କର ଏହି ଆତ୍ମବିଶ୍ୱାସ ଅନ୍ୟମାନଙ୍କ ପାଇଁ ଉଦାହରଣ ।

ଯାଜପୁର ରସୁଲପୁର ବ୍ଲକ କଲଣ ଗାଁର ସରୋଜ କୁମାର ସାହୁ । ଦିନେ ସେ ବି ଅନ୍ୟମାନଙ୍କ ଭଳି ହସ ଖୁସିର ଜୀବନ ଜିଉଁଥିଲେ । ସ୍ତ୍ରୀ, ପିଲା ପରିବାରକୁ ନେଇ ଚାଲିଥିଲା ତାଙ୍କର ହସ ଖୁସିର ସଂସାର । ପାଠପଢ଼ା ଶେଷ କରିବା ପରେ ଝାଡଖଣ୍ଡରେ ହୋଟେଲ ବ୍ୟବସାୟ କରୁଥିଲେ । ହଠାତ୍ ଏକ ଦୁର୍ଘଟଣା ତାଙ୍କୁ ସବୁଦିନ ପାଇଁ ଅଚଳ କରିଦେଇଥିଲା । ଗଛରୁ ପଡ଼ି ମେରୁଦଣ୍ଡରେ ଆଘାତ କାରଣରୁ ସରୋଜଙ୍କ ଗୋଡ ଦୁଇଟି ଅଚଳ ହୋଇଯାଇଥିଲା । ଆଉ ଏହି ଘଟଣା ତାଙ୍କ ପରିବାରକୁ ଦୋହଲାଇ ଦେଇଥିଲା ।

ଅନେକ ଚିକିତ୍ସା ପରେ ବି ସେ ପୂର୍ବ ଅବସ୍ଥାକୁ ଆଉ ଫେରିନଥିଲେ । ତଥାପି ସେ ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି । ରାଜ୍ୟ ତଥା ଜାତୀୟ ସ୍ତରରେ ବାସ୍କେଟ୍ ବଲ, ଡିସକସ୍ ଥ୍ରୋ, ଜାଭଲିନ୍ ଥ୍ରୋ, ଧନୁତୀର ଚାଳନା କରି ଅନେକ ସଫଳତା ପାଇଛନ୍ତି । ମାଳମାଳ ପଦକ ମଧ୍ୟ ହାସଲ କରିଛନ୍ତି । ରାଜ୍ୟ ଭିନ୍ନକ୍ଷମ ବାସ୍କେଟବଲ ଟିମର ସଦସ୍ୟ ଅଛନ୍ତି ତଥାପି ପରିବାର ଚଳାଇବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି । ଜାରକା ବଜାରରେ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

ପିଲାଦିନୁ ସରୋଜଙ୍କର ଖେଳପ୍ରତି ଅହେତୁକ ଆଗ୍ରହ ରହିଥିଲା । ନିଜର ଭିନ୍ନ କ୍ଷମତାକୁ ପଛରେ ପକାଇ ସରୋଜ ନିଜକୁ ସକ୍ଷମ ବୋଲି ପ୍ରମାଣ କରିବାକୁ ଅଣ୍ଟା ଭିଡିଥିଲେ । ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସରୋଜ ଭୁବନେଶ୍ୱରରେ ଜୋମାଟୋରେ ଡେଲିଭରି ବୟ ଭାବେ କାମ କରିଛନ୍ତି । ନିଜର ତିନିଚକିଆ ଗାଡିରେ ସରୋଜ ୨୧ କିମି ଚଳାଇ ପ୍ରତିଯୋଗିତାରେ ସଫଳତା ପାଇଥିବା ବେଳେ ଆଗକୁ ୫୦ କିମି ଚଳାଇବାପାଇଁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ଏଥିପାଇଁ ଅର୍ଥ ବାଧକ ସାଜିଛି ।