କେଜ୍ରିୱାଲ ପ୍ରସଙ୍ଗରେ ଜର୍ମାନୀ ପରେ ମୁହଁ ଖୋଲିଲା ଆମେରିକା । କହିଲା ରହିଛି କଡ଼ା ନଜର

797

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପରେ ଖାଲି ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇନାହିଁ, ବରଂ ବିଦେଶରେ ବି ଏହାର ଗୁଞ୍ଜରଣ ଶୁଣିବାକୁ ମିଳିଲାଣି । ଜର୍ମାନୀ ପରେ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି । ଆମେରିକାର ଷ୍ଟେଟ ଡିପାର୍ଟମେଂଟର ମୁଖପାତ୍ର କହିଛନ୍ତି ଯେ, ସେମାନେ କେଜ୍ରିୱାଲଙ୍କ ପ୍ରସଙ୍ଗରେ ନଜର ରଖିଛନ୍ତି । କେଜ୍ରିୱାଲଙ୍କ ପାଇଁ ନିପେକ୍ଷ, ସ୍ୱଛ ଓ ସମୟ ଅନୁଯାୟୀ ଆଇନ ପ୍ରକ୍ରିୟା ଚାଲିବ ବୋଲି ଆମେରିକାର ଆଶା ଥିବା ଆମେରିକୀୟ ମୁଖପାତ୍ର କହିଛି । ପୂର୍ବରୁ ଜର୍ମାନୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲା । କେଜ୍ରିୱାଲଙ୍କୁ ସ୍ୱଛ ଓ ନିରପେକ୍ଷ ନ୍ୟାୟ ମିଳିବା ଉଚିତ୍ କଥା କହିଥିଲେ ଜର୍ମାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର । ତେବେ ଏହି ପ୍ରସଙ୍ଗରେ ଭାରତ ସରକାର ଦୃଢ଼ ଆପତି ଉଠାଇଥିଲେ । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇବା ଠାରୁ ଦୂରେଇ ରହିବା ଜର୍ମାନୀ ପାଇଁ ଉଚିତ୍ ହେବ ବୋଲି ମୋଦୀ ସରକାର କହିଥିଲେ । ଏହାସହ ଜର୍ମାନୀ ରାଷ୍ଟ୍ରଦୂତଙ୍କୁ ସମନ କରି ଏନେଇ ସ୍ପଷ୍ଟ କରାଯାଇଥିଲା ।

ଗିରଫ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନ ଉପରେ ବୁଧବାର ଶୁଣାଣି ହେବ । ଦିଲ୍ଲୀ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । କେଜ୍ରିୱାଲ ଆବେଦନରେ ଦର୍ଶାଇ୍ଥିଲେ ଯେ, ତାଙ୍କୁ ଗିରଫ କରାଯିବ ଓ ରିମାଣ୍ଡରେ ପଠାଯିବା, ଉଭୟ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ସେ ଆବେଦନରେ ଦାବି କରିଥିଲେ । ମାର୍ଚ୍ଚ ୨୩ରେ ଏହି ଆବେଦନ ହୋଇଥିଲେ ବି ଏହାର ତୁରନ୍ତ ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ ।

ହେପାଜତରୁ ୁ ରହି ଏବେ ଦିଲ୍ଲୀ ସରକାର ଚଳାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ପ୍ରଥମେ ପାଣି ଓ ଏବେ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ସ୍ୱାସ୍ଥ୍ୟ ସମସ୍ୟା ଉପରେ କଡ଼ା ନଜର ରଖି ସମାଧାନ ପାଇଁ କାମ କରିବାକୁ ସେ ନିଜର କ୍ୟାବିନେଟ ମନ୍ତ୍ରୀମାନଙ୍କୁ କହିଛନ୍ତି । କେଜ୍ରିୱାଲଙ୍କୁ ଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା । ମାର୍ଚ୍ଚ ୨୨ରେ ତାଙ୍କୁ ରାଉଜ୍ ଏଭିନ୍ୟୁ କୋର୍ଟ ୬ ଦିନିଆ ଇଡି ରିମାଣ୍ଡକୁ ପଠାଇଦେଇଥିଲେ ।