ବିସ୍ଫୋରଣ ଓ ଆକ୍ରମଣରେ ଥରିଲା ପାକିସ୍ତାନ । ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ୍ ନାଗରିକ ମୃତ,ଏୟାର ବେସ୍ ଉପରେ ବି ଆକ୍ରମଣ

118

କନକ ବ୍ୟୁରୋ : ପାକିସ୍ତାନରେ ପୁଣି ବଡ଼ ଧରଣର ବିସ୍ଫୋରଣ । ଏଥିରେ ୫ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ଜଣେ ପାକିସ୍ତାନୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ଖାଇବର ପଖତୁନୱାର ଦାସୁ କ୍ୟାମ୍ପ ଏହି ଚୀନ୍ ଇଞ୍ଜିନିୟରମାନେ ଯାଉଥିଲେ । ସେମାନେ ଏକ ଗାଡ଼ିରେ ଯାଉଥିବା ବେଳେ ଗାଡ଼ିକୁ ଲକ୍ଷ୍ୟ କରି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଚୀନ୍ ନାଗରିକଙ୍କ ଗାଡ଼ିକୁ ବିସ୍ଫୋରଣ ଭର୍ତି ଗାଡ଼ି ଧକ୍କା କରାଇଛି ଆତ୍ମଘାତୀ ଆକ୍ରମଣକାରୀ ଜଣକ । ଦାସୁରେ ଚୀନ୍ ନାଗରିକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । ୨୦୨୧ରେ ମଧ୍ୟ ଏପରି ଏକ ଆତ୍ମଘାତୀ ଆକ୍ରମଣ ଘଟିଥିଲା । ଏଥିରେ ୯ ଜଣ ଚୀନ୍ ନାଗରିକଙ୍କ ସମେତ ମୋଟ୍ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଚୀନ୍ ଅଂଚଳରେ ବିଭିନ୍ନ ପ୍ରକଳ୍ପ କାମ କରୁଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି । ଏହାକୁ ନେଇ ସଶସ୍ତ୍ର ସଂଗଠନ ଗୁଡ଼ିକ ବିଭିନ୍ନ ସମୟରେ ଆକ୍ରମଣ କରୁଛନ୍ତି । ପାକିସ୍ତାନର ଏକ ସଂସ୍ଥାର ତଥ୍ୟ ଅନୁଯାୟୀ ଫେବ୍ରୁଆରୀ ମାସରେ ପୁରା ଦେଶରେ ୯୭ଟି ଆତଙ୍କୀ ହଂସା ଘଟିଛି । ଏଥିରେ ୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୮ ଜଣ ଆହତ ହୋଇଛନ୍ତି ।

ସେପଟେ ସାରା ବିଶ୍ୱରେ ଆତଙ୍କବାଦକୁ ପ୍ରସାରିତ ଓ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଏବେ ସେହି ଆତଙ୍କବାଦର ଶିକାର ହୋଇଛି । ଗୋଟିଏ ପରେ ଗୋଟିଏ ଆକ୍ରମଣର ଶିକାର ହେଉଛି । ଆଉ ଏବେ ପାକିସ୍ତାନ ବାୟୁସେନା ବେସ୍ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନର ଦ୍ୱିତୀୟ ବୃହତମ ଏୟାରବେସ୍ ପିଏନଏସ୍ ସିଦ୍ଦିକି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି । ଏକାଧିକ ବିସ୍ଫୋରଣ ସହ ଗୁଳିଚାଳନା ଘଟିଥିବାର ଖବର ମିଳିଛି । ଏଥିରେ ଜଣେ ପାକିସ୍ତାନୀ ସେନାର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ହେଲେ ଏହି ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା ସନ୍ଦେହ କରାଯାଉଛି । କାରଣ ଅନେକ ସମୟରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଲୁଚାଇଥାଏ ।

ବଲୁଚିସ୍ତାନ ଲିବେରେସନ ଆର୍ମି, ବିଏଲଏ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ବଲୁଚିସ୍ତାନରେ ଚୀନ୍ ଏବେ ବିଭିନ୍ନ ପ୍ରକଳ୍ପରେ ନିବେଶ କରୁଛି । ତେବେ ବଲୁଚିସ୍ତାନ ଲୋକଙ୍କୁ ଏଥିରେ ନିଯୁକ୍ତି କିମ୍ବା ସୁଯୋଗ ଦିଆଯାଉନାହିଁ । ଏହାକୁ ନେଇ ସେଠାରେ ଅସନ୍ତୋଷ ଲାଗି ରହିଛି । ଏପରିକି ବିଭିନ୍ନ ସମୟରେ ଚୀନ୍ ବିରୋଧରେ ବଲୁଚିସ୍ତାନରେ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଛି । ବିଏଲଏ ବାରମ୍ବାର ଆକ୍ରମଣ କରୁଛି । ଗୋଟିଏ ସପ୍ତାହ ଭିତରେ ଏହା ଦ୍ୱିତୀୟ ଆକ୍ରମଣ । ମାର୍ଚ୍ଚ ୨୦ରେ ଗ୍ୱାଦର ପୋର୍ଟ ଗୁଇନ୍ଦା କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ ବିଏଲଏ ସଦସ୍ୟ । ଏଥିରେ ଦୁଇ ପାକିସ୍ତାନୀ ସୈନିକ ଓ ୮ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା । ଗ୍ୱାଦର ପୋର୍ଟ ଏବେ ଚୀନ୍ ଦ୍ୱାରା ପରିଚାଳିତ ହୋଇଛି । ସେହିପରି ଜାନୁଆର ୨୯ରେ ମାକ୍ ସହରେ ମଧ୍ୟ ବିଏଲଏ ଆକ୍ରମଣ କରିଥିଲା ।

ବିଭିନ୍ନ ସଶସ୍ତ୍ର ସଂଗଠନ ଏବେ ପାକିସ୍ତାନରେ ଜୋରଦାର ଆକ୍ରମଣ କରୁଛନ୍ତି । ବିଏଲଏ ସହ ପାକିସ୍ତାନୀ ତାଲିବାନ, ଟିଟିପି ମଧ୍ୟ ବିଭିନ୍ନ ସମୟରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରୁଛି । ଟିଟିପି ସହ ପ୍ରଥମେ ଆଲୋଚନା ଓ ପରେ ସେନା ଜରିଆରେ ମୁକାବିଲା କରିବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନ ସରକାର । ହେଲେ ଏହା ସଫଳ ହୋଇନାହିଁ । ଟିଟିପି ଆଫଗାନିସ୍ତାନର ତାଲିବାନ ଏକ ଶାଖା ବୋଲି କୁହାଯାଏ । ଏହାକୁ ନେଇ ଏବେ ଆଫଗାନିସ୍ତାନର ତାଲିବାନ ସରକାର ଓ ପାକିସ୍ତାନ ସରକାର ଭିତରେ ବିବାଦ ଜାରି ରହିଛି । ଏପରିକି ପାକିସ୍ତାନ ବାୟୁସେନା ଆଫଗାନିସ୍ତାନ ଭିତରେ ପଶି କିଛି ଜାଗାରେ ଆକ୍ରମଣ କରିଥିଲା । ଆଉ ଏହା ବିରୋଧରେ ଆଫଗାନିସ୍ତାନ ସେନା ସୀମରେ ପାକିସ୍ତାନୀ ପୋଷ୍ଟ ଉପରେ ଜୋରଦାର ଗୁଳିଚାଳନା କରି କ୍ଷୟକ୍ଷତି ଘଟାଇଥିଲା । ଏବେବି ଏହି ବିବାଦ ଜାରି ରହିଛି ।