ନବୀନଙ୍କ ମନ୍ତ୍ରିମଣ୍ଡଳର ହେବ ନବକଳେବର: କାହାକୁ ମିଳିବ ମନ୍ତ୍ରୀପଦ ଆରମ୍ଭ ହେଲା ଅଙ୍କକଷା

292

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ଦଳର ନେତା, ମନ୍ତ୍ରୀ ବେଶ ଉତ୍ସାହିତ ଥିଲେ । କିନ୍ତୁ ଦିନ ପ୍ରାୟ ଗୋଟାଏ ବେଳେ ଆରମ୍ଭ ହୋଇଗଲା ରାଜନୈତିକ ହଲଚଲ୍ । ଚଳଚଂଚଳ ହୋଇଉଠିଲା ବିଜେଡି ଶିବିର । କାରଣ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

 ଅଚାନକ ମୁଖ୍ୟମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ, ବରିଷ୍ଠ ମନ୍ତ୍ରୀମାନଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଥିଲା । ଯଦିଓ ମନ୍ତ୍ରିମଣ୍ଡଳର ଅଦଳବଦଳ ଓ ସଂପ୍ରସାରଣ ନେଇ ଗତ ୬ ମାସ ଧରି ଚର୍ଚ୍ଚା ହେଉଥିଲା । କିନ୍ତୁ ମନ୍ତ୍ରିମଣ୍ଡଳର ଆମୂଳଚୂଳ ପରିବର୍ତନ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି, ଏ ନେଇ କାହା ପାଖରେ ସୂଚନା ନଥିଲା ।

କେବଳ ମନ୍ତ୍ରୀ ନୁହେଁ, ନିର୍ଦ୍ଦେଶ ପାଇବା ପରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ପତ୍ର ପଠାଇଥିଲେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ,

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଦରୁ ଇସ୍ତଫା ଦେଇଥିଲେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସେମାନଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଥିଲେ । ସେହିପରି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଇଥିଲେ । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସେମାନଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଥିଲେ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ଏସସିଏସଟି ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ୨0 ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ଜଣାପଡିଛି । କିଛି ପୁରୁଣା ଚେହେରା ବାଦ ପଡ଼ିବେ, କିଛି ନୂଆ ଚେହେରା ସାମିଲ ହେବେ । ଏହାକୁ ନେଇ ପାୱାର କରିଡରରେ ଜୋରଦାର କଳ୍ପନା ଜଳ୍ପନା ଚାଲିଛି । କେଉଁ ଆଧାରରେ ନୂଆ ମନ୍ତ୍ରିମଣ୍ଡଳ ଗଢିବେ ନବୀନ, ତାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି ।