ବିଜେପୁର ବିଜେପିକୁ ଝଟକା । ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ‘ଶୋକ’ ଦେଲେ ଅଶୋକ, କୋଣଠେସା କରୁଥିବା ଅଭିଯୋଗ କରି ‘ପଦ୍ମ’କୁ କରିଦେଲେ ପର ।

1,275

କନକ ବ୍ୟୁରୋ: ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ । ବହୁଦିନର ଚର୍ଚ୍ଚାରେ ପଡ଼ିଲା ପୁର୍ଣ୍ଣଛେଦ । ଶେଷରେ ବିଜେପିକୁ ବାଏ ବାଏ କଲେ ବିଜେପୁରର ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପଦ୍ମ ଶିବିର ଛାଡ଼ିଲେ ଅଶୋକ ।

ଅନ୍ୟପଟେ ୨୦୧୮ ଉପନିର୍ବାଚନରେ ବିଜେପିର ବିଜେପୁର ପ୍ରାର୍ଥୀ ଅଶୋକ ଦଳ ଛାଡ଼ିବା ନେଇ କହିଛନ୍ତି କି, ବିଜେପି ଗତ ଦୁଇଟି ନିର୍ବାଚନରେ ମୋତେ ଅଣଦେଖା କରୁଥିଲା । ଆଉ ୨୦୧୮ ଉପନିର୍ବାଚନ ପରେ ସତେ ଯେମିତି ଦଳ ପାଇଁ ମୁଁ ୟୁଜ୍ ଆଣ୍ଡ ଥ୍ରୋ ହୋଇଗଲି ବୋଲି କ୍ଷୋଭର ସହ କହିଛନ୍ତି ଅଶୋକ । ବର୍ତ୍ତମାନ ଦଳରେ ମୋର କୌଣସି ଆବଶ୍ୟକତା ନାହିଁ ତେଣୁ ଯେଉଁ ଦଳରେ ମୁଁ ଅଣଦେଖା ସେ ଦଳରେ ରହିବାକୁ ଉଚିତ୍ ମନେ କଲିନି ।

ଅନ୍ୟପଟେ କେଉଁ ଦଳରେ ଅଶୋକ ମିଶିବେ ? ସେନେଇ ପ୍ରତିକ୍ରିୟା ରଖି ଅଶୋକ କହିଛନ୍ତି କି, ମୋ ସମର୍ଥକଙ୍କ ନିଷ୍ପତି ହିଁ ଶେଷ ନିଷ୍ପତି ହେବ । ସେମାନେ ଯେଉଁ ଦଳରେ କହିବେ ସେହି ଦଳରେ ସାମିଲ ହେବି ବୋଲି କହିଛନ୍ତି ଅଶୋକ । ତେବେ ବହୁଦିନର ବିଜେପୁର ବିଜେପିରେ କହୁଳୁଥିବା ନିଆଁ ଶେଷରେ ବିସ୍ଫୋରଣ କରିଛି । ଆଉ ଅଶୋକ ପଦ୍ମପୁ ପର କରିବା ପରେ ଏବେ ବିଜେପି ପାଇଁ ଆଗକୁ ଥିବା ଉପନିର୍ବାଚନରେ ଅସୁବିଧା ହୋଇପାରେ ବୋଲି ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।