ଗାଁ ସଭାପତିଙ୍କୁ କାଠ ମାଫିଆ କହି କାନଧରି ଆଣ୍ଠେଇଲେ ରେଞ୍ଜର, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

383

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଦବଙ୍ଗିରି ଢେଙ୍କାନାଳ ମହାବିରରୋଡ୍ ରେଞ୍ଜରଙ୍କ ଦବଙ୍ଗଗିରି । କ’ଣ ହେଲା, କେଜାଣି ରେଞ୍ଜର ବାବୁଙ୍କର, ପର୍ଜଙ୍ଗ ବ୍ଲକ ଅଁଳାକଟା ଗାଁର ସଭାପତି କୈଳାସ ବେହେରାଙ୍କୁ କାନ ଧରି ଆଣ୍ଠେଇଦେଲେ । ଆଉ ଆଖପାଖରେ ବି ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି । ତଳେ ଆଣ୍ଠେଇ ଥିବା ବ୍ୟକ୍ତିଙ୍କୁ କାଠ ମାଫିଆ କହି ରେଂଜର ଗାଁ ସଭାପତିଙ୍କୁ ଗାଁ ଦାଣ୍ଡରେ ଏମିତି ଆଣ୍ଠେଇ ମାଡ ମାରିଥିବା ଅଭିଯୋଗ ହୋଇଛି । ମହାବିରରୋଡ ରେଞ୍ଜର ସୁବ୍ରତ ବେହେରାଙ୍କ ନିର୍ଦ୍ଦେଶରେ ବନ ବିଭାଗ କର୍ମଚାରୀ ତାଙ୍କୁ ଆଣ୍ଠେଇ ମାଡ ମାରିଥିବା ସୂଚନା ମିଳିଛି ।

ଏତିକିରେ ସରିନଥିଲା ଗାଁ ସଭାପତିଙ୍କୁ ଦିଆଯାଇଥିବା ନିର୍ଯାତନାର କାହାଣୀ । ଗାଁ ଦାଣ୍ଡରେ ବେଇଜତ୍ କରିବା ପରେ ଗାଁ ସଭାପତି କୈଳାସଙ୍କୁ ଗିରଫ କରି ନେଇ ରେଞ୍ଜ ଅଫିସକୁ ନିଆଯାଇଥିଲା । ଆଉ ସେଠାରେ ରାତି ତମାମ ରେଞ୍ଜ ଅଫିସରେ କୈଳାସଙ୍କୁ ତାଲା ପକାଇ ରଖାଯାଇ ସକାଳେ କୋର୍ଟ ଚାଲାଣ କରାଯାଇଥିଲା । ପୁରା ଘଟଣା ଏହିପରି ଗତ ଶୁକ୍ରବାର ବାଇଗଣିଆ ଗାଁରେ କିଛି ଶାଗୁଆନ କାଠ ଜବତ କରି ଗାଁ ସଭାପତି କୈଳାସ ବେହେରାଙ୍କୁ ଡକାଇଥିଲେ ରେଞ୍ଜର ସୁବ୍ରତ ବେହେରା । କୈଳାସ ପହଂଚିବା ପରେ , ରେଞ୍ଜର ସୁବ୍ରତ ବେହେରା କାଠ ମାଫିଆ କହି ଏକ ଶକ୍ତ ଚାପୁଡା ମାରି କାନ ଧରାଇ ଆଣ୍ଠେଇ ଦେଇଥିଲେ ।

ସେପଟେ କୈଳାସ ବେହେରାଙ୍କ କହିବା ଅନୁଯାୟୀ ସେ ଡିଏଫଓଙ୍କ କାର୍ଯ୍ୟାଳୟରୁ ଅନୁମତି ନେଇ ଅଂଚଳର ବିଭିନ୍ନ ଲୋକଙ୍କ ବାଡିରୁ ଶାଗୁଆନ ଗଛ କଟାଇ ବିକ୍ରି କରୁଥିଲେ । ହେଲେ ରେଞ୍ଜର କାଠ ମାଫିଆ ଅଭିଯୋଗ ଆଣି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରେଞ୍ଜର ସୁବ୍ରତ ବେହେରା ଅଭିଯୋଗକୁ ଅସ୍ୱୀକାର କରିବା ସହ ଏପରି କିଛି ହୋଇନାହିଁ ବୋଲି କହିଛନ୍ତି ।