ମାଓ ସଂଗଠନ ବଦଳାଉଛି ଠିକଣା: ଆନ୍ଧ୍ର ଓଡିଶା ସୀମାରେ ଦୁର୍ବଳ ଲାଲ ସଂଗଠନ, କେକେବିଏନରେ ସକ୍ରିୟ

225

କନକ ବ୍ୟୁରୋ: ଆନ୍ଧ୍ର ଓଡିଶା ସୀମା ବା ଏଓବି ଅଂଚଳରେ ମାଓ ଦୁର୍ଗ ପତନ ପରେ ଏବେ ଓଡିଶାର ମଧ୍ୟ ଭାଗ ଉପରେ ମାଓବାଦୀଙ୍କ ନଜର । ବିଶେଷ କରି କେକେବିଏନ ନାଁରେ ନୂଆ ସଙ୍ଗଠନ ଗଠନ କରାଯାଇ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନାୟାଗଡ ଆଦି ଅଂଚଳରେ ମାଓ ସାମ୍ରାଜ୍ୟକୁ ବିସ୍ତାର କରିବାକୁ ଉଦ୍ୟମ ଆରମ୍ଭ କରିଛି ମାଓ ସଂଗଠନ । ଛତିଶଗଡି କ୍ୟାଡରମାନେ ଓଡିଶାର କେକେବିଏନ ଡିଭିଜନର ନେତୃତ୍ୱ ନେଉଥିବା ବାରମ୍ବାର ପ୍ରମାଣ ମିଳୁଛି । ଆଜି ୭ଟି ଜିଲ୍ଲାରେ ବନ୍ଦ ଡାକରା ଦେଇ, ମାଓବାଦୀମାନେ ନିଜ ସ୍ଥିତି ଯାହିର କରିଛନ୍ତି । ସେପଟେ ନୂତନ ପୁଲିସ କ୍ୟାମ୍ପ କରି ନୂତନ ରଣକୌଶଳ ସହ ମାଓଦମନ ପାଇଁ ପୁଲିସ ପ୍ରସ୍ତୁତ ହେଉଥିବା ନିକଟରେ ପୁଲିସ ଡିଜି ସୁଚନା ଦେଇଛନ୍ତି ।

ଆନ୍ଧ୍ର-ଓଡିଶା ସୀମାରେ ବ୍ୟାକଫୁଟରେ ଥିବା ମାଓ ସଙ୍ଗଠନ ଏବେ କେକେବିଏନରେ ସକ୍ରିୟ ରହିଛି । ନିଜର ଉପସ୍ଥିିତି ଜାହିର କରିବା ପାଇଁ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ ସମେତ ଗଂଜାମ, ଗଜପତି, ରାୟଗଡା ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ । ୧୨ ଦଫା ଦାବି ନେଇ ଗତ ୮ ତାରିଖ ଠାରୁ ୧୪ ତାରିଖ ଯାଏଁ ମାଓବାଦୀମାନେ ଅଧିକାର ଅଭିଯାନ ସପ୍ତାହ ପାଳନ କରିବା ଲାଗି କେକେବିଏନ ଡିଭିଜନ ଆହ୍ୱାନ ଦେଇଛି । ଏହାସହ ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ମୃତ୍ୟୁର ଜାଲ ବିଛାଇଥିଲେ ମାଓବାଦୀ । ଭବାନୀପାଟଣା ଠାରୁ ଥୁଆମୁଳ-ରାମପୁରକୁ ସଂଯୋଗ କରୁଥିବା କିଟପଦର ଛକ ନିକଟରେ ଗଛପକାଇ, ପୋଷ୍ଟର ଲଗାଇ ରାସ୍ତା ଅବରୋଧ କରି ବୋତଲ ବୋମା ଓ ଡିଟୋନେଟର ଖଂଜି ରଖିଥିଲେ ନକ୍ସଲ । ସେହିପରି ରାୟଗଡା ଜିଲ୍ଲାର ପଙ୍କାଳଗୁଡି ଠାରେ ରାସ୍ତା ଉପରେ ଗଛପକାଇ ସ୍ଥିତି ଯାହିର କରିଛନ୍ତି ମାଓବାଦୀ । ଏହାସହ ୯ ତାରିଖରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁରରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟଣାର ପ୍ରତିଶୋଧ ନେବେ ବୋଲି ଚେତାଇ ଦେଇଛି ଓଡିଶା ରାଜ୍ୟ କମିଟିର ପ୍ରବକ୍ତା ଚକରା ବିଶୋଇ ।

ପୂର୍ବରୁ ମାଓବାଦୀମାନେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟି ଜରିଆରେ ସକ୍ରିୟ ଥିଲେ । କୋରାପୁଟ, ମାଲକାନଗିରି ଅଂଚଳକୁ ନିଜ ମୁକ୍ତାଂଚଳ ଭାବେ ବ୍ୟବହାର କରୁଥିଲେ । ଏବେ ସେଠାରେ ସଂଗଠନ ଦୁର୍ବଳ ହେଉଥିବାରୁ ନକ୍ସଲଙ୍କ ନଜରରେ କେକେବିଏନ୍ ଡିଭିଜନ । କନ୍ଧମାଳ. କଳାହାଣ୍ଡି, ବୌଦ୍ଧ, ନୟାଗଡ ସହ ଗଂଜାମ, ଗଜପତି, ରାୟଗଡା ଜିଲ୍ଲାରେ ସୀମାବର୍ତୀ ଅଂଚଳକୁ ନେଇ କେକେବିଏନ୍ ଡିଭିଜନ ଗଠନ କରିଛି ଛତିଶଗଡି ମାଓ ସଂଗଠନ । ସେପଟେ ପୁଲିସ ଡିଜି କହିଛନ୍ତି, ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ । ନୂତନ କ୍ୟାମ୍ପ ସ୍ଥାପନ କରାଯାଇ କେକେବିଏନ ଡିଭିଜନକୁ ଦମନ କରାଯିବ ବୋଲି ଦମ୍ବୋକ୍ତି ପ୍ରକାଶ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ।