ନଦୀ ଖୋଳି ନାଳ ପୋତିଦେଲା ଠିକାଦାର: କଣାସରେ ଦୟା ନଦୀ ଖୋଳି ବେଣାଗାଁ ମାଇନର ସଫେଇ କେନାଲରେ ମାଟି ପକାଇଦେଲା ଠିକା ସଂସ୍ଥା

143

କନକ ବ୍ୟୁରୋ: ନଦୀ ଖୋଳିବା ବାହାନାରେ କେନାଲ ପୋତିଦେଲା ଠିକା ସଂସ୍ଥା । ମାଟି ମାଫିଆ ଓ ଠିକା ସଂସ୍ଥାଙ୍କ ମଧୁଚନ୍ଦ୍ରିକାରେ ପେଶି ହେଉଛନ୍ତି ୧୨ରୁ ଅଧିକ ଗ୍ରାମବାସୀ । ଦୟା ନଦି ଖୋଳା ଆଳରେ ୫୦ ବର୍ଷର ପୁରୁଣା ବେଣାଗାଁ ମାଇନର ସଫେଇ କେନାଲ ପୋତି ଦିଆଯାଇଛି । ବାହାରେ ମାଟିକୁ ବିକ୍ରି କରିବା ଉଦେଶ୍ୟରେ ଏଭଳି କରିଥିବା ଅଭିଯୋଗ ହୋଇଛି । ନଦୀ ଖୋଳି କେନାଲ ପୋତି ଦିଆଯାଉଥିବା ବେଳେ ନିଦରେ ଶୋଇଛି କଣାସ ଜଳସମ୍ପଦ ବିଭାଗ ।

କାମ ବାହାନାରେ ଦୟା ନଦୀର ପଟୁ ମାଟିକୁ ବାହାରେ ବିକ୍ରି କରିଦେଲେ, ଖାଲି ମାଟି ବିକିଲେ ତାହା ନୁହେଁ, ୫୦ବର୍ଷର ପୁରୁଣା କେନାଲକୁ ମଧ୍ୟ ପୋତି ଦେଲେ ମାଟି ମାଫିଆ ଓ ଠିକା ସଂସ୍ଥା । ପୁରୀ ଜିଲ୍ଲାର କଣାସରେ ଦୟା ନଦୀର ପୁନଃରୁଦ୍ଧାର କାମ ଚାଲିଛି । ମେସିନ ସାହାଯ୍ୟରେ ନଦୀକୁ ଖୋଳି ଗଭୀର କରାଯାଉଛି । ନଦୀ ଖୋଳୁଥିବା ଠିକା ସଂସ୍ଥା କେନାଲକୁ ପୋତି ପକାଉଛି ।

ଦୟା ନଦୀ ପାଖରେ ଥିବା ବେଣାଗାଁ ମାଇନର ସଫେଇ କେନାଲ ଦେଇ ବନ୍ୟାଜଳ ଓ ବର୍ଷା ପାଣି ନଦୀକୁ ଯାଇଥାଏ । ହେଲେ ଏବେ କେନାଲକୁ ୪ ଫୁଟ ଉଚ୍ଚରେ ପୋତି ପକାଉଛି ଠିକା ସଂସ୍ଥା । କେନାଲ ପୋତି ହୋଇଗଲେ ବନ୍ୟା ଓ ବର୍ଷା ଜଳ କୁଆଡେ ନିଷ୍କାସନ ହେବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି କଣାସ ବ୍ଲକ ୧୨ ଖଣ୍ଡ ଗାଁର ଲୋକ । ସେପଟେ କଣାସ ଜଳସମ୍ପଦ ବିଭାଗର କୌଣସି ଅଧିକାରି ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଇନାହାଁନ୍ତି ।

କଣାସ ବ୍ଲକର ହଜାର ହାଜର ହେକ୍ଟର ଧାନ ବିଲର ସାହା ଭରସା ବେଣାଗାଁ ସଫେଇ କେନାଲ । ଚାଷ ଜମି ଓ ଗାଁରୁ ବର୍ଷା ଜଳ ଓ ବନ୍ୟା ଜଳ ନିଷ୍କାସନ ହେବାରେ ବଡ ଭୁମିକା ତୁଲାଇଥାଏ ଏହି କେନାଲ ।