କୁନି ପିଲାକୁ କଷ୍ଟ ଦେଉଛି ବଢୁଥିବା ହାତ: ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ବାରମ୍ବାର ଦୌଡୁଛନ୍ତି ଅଭାବି ପରିବାର

153

କନକ ବ୍ୟୁରୋ: ଫୁଲି ଫୁଲି ଚାଲିଛି ଗୋଟିଏ ହାତ । ହାତର ଓଜନ ବୋହି ବୋହି ଚାଲିଛି କୁନି ପୁଅ । ଦେହର ଗୋଟିଏ ହାତ ବଢୁଥିବା ବେଳେ ଡାକ୍ତର କହୁଛନ୍ତି ମେରୁଦଣ୍ଡରେ ଟ୍ୟୁମର ହୋଇଛି । ତେଣୁ ପୁଅର ଚିକିତ୍ସା କରିବା ପାଇଁ ୫ ବର୍ଷ ହେଲା ଭୁବନେଶ୍ୱର ଏମ୍ସକୁ ଧାଉଁଛନ୍ତି ମାଆ । ହେଲେ ନା ମିଳୁଛି ଚିକିତ୍ସା ନା ଡାକ୍ତରଙ୍କ ଠାରୁ କୌଣସି ଆଶ୍ୱାସନା । ବରଂ ଆଜି ଆସ କାଲି ଆସ କହି କହି ଡାକ୍ତରଖାନା କର୍ତୃପକ୍ଷ ଦିନ ଗଡେଇ ଚାଲିଥିବା ଅଭିଯୋଗ ହୋଇଛି ।

ରୋଗିଣା ପୁଅକୁ ସାଥିରେ ଧରି ଭୁବନେଶ୍ୱର ଏମ୍ସ ଆସିଛନ୍ତି ଜଣେ ଅସହାୟ ମାଆ । କାକୁତି ମିନତି ହୋଇ କହୁଛନ୍ତି, କିଏ ଟିକିଏ ସାହାଯ୍ୟ କର, ମୋ ପୁଅକୁ ବଂଚେଇ ଦିଅ । ଏମାନେ ହେଉଛନ୍ତି, ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁରର ଭାରତୀ ମାଝୀ ଓ ତାଙ୍କ କୁନି ପୁଅ-ଝିଅ । ପୁଅ ଭୋଳାର ବାମ ହାତଟି ଅହେତୁକ ଭାବେ ବଢୁଛି । ହାତ ଏତେ ଯୋରରେ ଫୁଲିଛି ଯେ, ତାକୁ ଉଠାଇ ଚାଲିବା କୁନି ପୁଅ ପାଇଁ କଷ୍ଟକର ହୋଇପଡିଛି । ପୁଅର ଚିକିତ୍ସା ପାଇଁ ଏମାନେ ଭୁବନେଶ୍ୱର ଏମ୍ସ ଆସିଛନ୍ତି, ହେଲେ ଏଠି ଡାକ୍ତର ଚିକିତ୍ସା କରିବା ବଦଳରେ କେବଳ ତାରିଖ ପରେ ତାରିଖ ଗଡାଇ ଚାଲିଥିବା ଅଭିଯୋଗ କରିଛନ୍ତି ।

ପୁଅକୁ ଧରି ୫ ବର୍ଷ ହେଲା ଏମ୍ସ ଡାକ୍ତରଖାନାକୁ ଆସୁଛନ୍ତି ଭାରତୀ । ହେଲେ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । କେତେବେଳେ ଡାକ୍ତର ଛୁଟିରେ ଅଛନ୍ତି, କେତେବେଳେ ବେଡ୍ ନାହିଁ କହି ଚିକିତ୍ସା କରୁନାହାନ୍ତି । ବାରମ୍ବାର କେବଳ ଏମଆରଆଇ, ସିଟି ସ୍କାନ ଓ ରକ୍ତ ପରୀକ୍ଷା କରିବାକୁ କହି ଉପଯୁକ୍ତ ଚିକିତ୍ସା କରୁନଥିବା ଭୋଳାର ଭଉଣୀ କୋହଭରା କଂଠରେ କହିଛନ୍ତି ।

ବିଶ୍ୱସ୍ତରର ଚିକିତ୍ସା ସେବାକୁ ନେଇ ଏମ୍ସ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଭୁବନେଶ୍ୱର ଏମ୍ସରୁ ଅନେକ ସମୟରେ ବିକଳ ଚିତ୍ର ଆସିଛି । ଏବେ ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । କୁନି ପୁଅ ଭୋଳାକୁ କେବେ ଚିକିତ୍ସା ମିଳୁଛି, ତାକୁ ହିଁ ଅପେକ୍ଷା ।