ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସିବିଆଇ ତଦନ୍ତ ଦାବି: ଅବହେଳା ପାଇଁ ନିଜଆଡୁ ମାମଲା କରୁ କେନ୍ଦ୍ରୀୟ ସଂସ୍ଥା

65

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ କାମ କରୁଥିବା କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଗତବର୍ଷ ଗୁଜରାଟ ଅହମ୍ମଦାବାଦର ଏକ ମସଜିଦ ଘଟଣାରେ ଏଏସଆଇର ମିଥ୍ୟା ଅନୁମତି ନେଇ, କିଭଳି ସିବିଆଇ ନିଜଆଡୁ ମାମଲା କରିଥିଲା ତାର ଉଦାହରଣ ଦେଇଛନ୍ତି । ଜଗନ୍ନାଥ ମନ୍ଦିର ପ୍ରକଳ୍ପରେ ମଧ୍ୟ ହୋଇଥିବା ଅବହେଳାର ସିବିଆଇ ପ୍ରାଥମିକ ତଦନ୍ତ କରୁ ବୋଲି ଦାବି କରିଛନ୍ତି ବିଜୟ ମହାପାତ୍ର ।

ପରିକ୍ରମା ପ୍ରକଳ୍ପକୁ ନେଇ ହେଉଥିବା ରାଜନୀତିକୁ ନାପସନ୍ଦ କରିଛନ୍ତି ବିଜୟ । ଏପରିକି ନିଜ ଦଳର ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ବି ଛାଡି ନାହାନ୍ତି । ନାଁ ନନେଇ ସେ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମସ୍ତେ ରାଜନୀତି କରିବାରେ ବ୍ୟସ୍ତ । ଫଟୋକୁ ଧରି ରାଜନୀତି ଚାଲିଛି । ଏଭଳି ଘଟଣା ଆଗରୁ କେବେ ହୋଇନଥିଲା । ଜଗନ୍ନାଥ ଆମର ଆରାଧ୍ୟ ତାଙ୍କୁ କୁଣ୍ଢେଇ, କାଖେଇ ଖେଳଣା ଭଳି ବ୍ୟବହାର କରାଯାଉଛି ।

ପରିକ୍ରମା ପ୍ରକଳ୍ପକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ତପୋ ଭୂମିକୁ ଭୋଗ ଭୂମି କରିବା ପାଇଁ ଉଦ୍ୟମ ହେଉଥିବା କହି ବର୍ଷିବା ପରେ ପୁରୀ ଗୋବର୍ଦ୍ଧନ ପୀଠରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟି ସଦସ୍ୟ ।

ଏହାପରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ମଠକୁ ଆଲୋଚନା ପାଇଁ ଡକା ଯାଇଛି । ଏଏସଆଇର ଅଧିକାରୀ ଓ ପୁରୀର ବରିଷ୍ଠ ଆଇନଜୀବୀଙ୍କ ସହ ମଧ୍ୟ ଜଗତଗୁରୁ ଆଲୋଚନା କରିଛନ୍ତି । ଉଭୟ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ସହ ବିଚାରବିମର୍ଶ କରୁଛନ୍ତି ଶଙ୍କରାଚାର୍ଯ୍ୟ ।

ଏହାରି ଭିତରେ ଶେଷ ହୋଇଛି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଜିପିଆର ସର୍ଭେ କାମ । ରାତି ଅଧିଆ ଶେଷ ହୋଇଛି ସର୍ଭେ କାମ । ଏମାର ମଠ ଖନନ ସ୍ଥଳରେ ଜିପିଆର ସର୍ଭେ କରଯାଇଛି । ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ଼ ତଥା ଓବିସିସିର ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିଲା । ସର୍ଭେ ରିପୋର୍ଟ ଖୁବ୍ ଶିଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।