ଏସିଆ କପ : ଆୟୋଜନକୁ ନେଇ ଆସିଲା ସମାଧାନର ବାଟ; ପାକିସ୍ତାନରେ ଖେଳାହେବ ଟୁର୍ଣ୍ଣାମେଣ୍ଟ କିନ୍ତୁ ନିରପେକ୍ଷ ସ୍ଥାନରେ ଖେଳିବ ଭାରତ

195

କନକ ବ୍ୟୁରୋ : ଏସିଆ କପ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାଧାନ ଆଡକୁ ଯାଉଛି । ଚଳିତବର୍ଷର ଏସିଆ କପ୍ ଦୁଇଟି ସ୍ଥାନରେ ଆୟୋଜନ ହେବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍ ଗୁଡିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ ଆୟୋଜନ ହେବ ।

ଏଥିପାଇଁ ଯଦିଓ ସ୍ଥାନ ଘୋଷଣା ହୋଇନାହିଁ, ତଥାପି ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ପ୍ରମୁଖ ଦାବିଦାର ଅଛନ୍ତି । ଏସିଆ କପ୍‌ରେ ଗୋଟିଏ ଯୋଗ୍ୟତା ପର୍ଯ୍ୟାୟ ଦଳ ସହିତ ଭାରତ ଓ ପାକିସ୍ତାନ ଗୋଟିଏ ‌ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି । ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି । ସମସ୍ତ ୬ ଦଳକୁ ନେଇ ୧୩ ଦିନରେ ୧୩ ମ୍ୟାଚ୍‌ ଖେଳାଯିବ । ପୂର୍ବ ନିୟମ ଅନୁଯାୟୀ, ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର ୪ ତଥା ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ଖେଳାଯିବା ନେଇ ଅଧିକ ଆକଳନ କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ଦଳଗୁଡ଼ିକର ଗସ୍ତ ବିବରଣୀର ସମୟ ଧାର୍ଯ୍ୟ କରିବାକୁ ଏକ ଛୋଟ କମିଟି ଗଠନ କରାଯାଇଛି । ତେବେ ନିରପେକ୍ଷ ସ୍ଥାନ ଚୟନରେ ପାଣିପାଗ ଏକ ବଡ଼ ଭୂମିକା ନେବାକୁ ଯାଉଛି । ସେପ୍ଟେମ୍ବରରେ ୟୁଏଇରେ ତାପମାତ୍ର ୪୦ ଡିଗ୍ରୀ ପାଖାପାଖି ରହିଥାଏ। ତଥାପି ଏତେ ଗରମ ସତ୍ତ୍ବେ ଏଠାରେ କ୍ରିକେଟ୍‌ ଆୟୋଜନ କରାଯାଇଛି । ୨୦୨୧ ଆଇପିଏଲ୍‌କୁ ସେପ୍ଟେମ୍ବର ଶେଷ ଆଡ଼କୁ ଏଠାରେ ଆୟୋଜନ କରାଯାଇଥିଲା ।

କିନ୍ତୁ ପାକିସ୍ତାନ ସେପ୍ଟେମ୍ବର ଆରମ୍ଭରୁ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଛି । ଓମାନ ରାଜଧାନୀ ମସ୍କାଟରେ ଏହି ସମୟରେ ତାପମାତ୍ରା ଟିକେ କମ୍‌ ରହିବ ଓ ପୂର୍ବରୁ ଏହି ସମୟରେ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିଲା । ଇଂଲଣ୍ଡରେ ମ୍ୟାଚ୍‌ ଆୟୋଜନ ହେଲେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ ଓ ଖେଳ ଆକର୍ଷଣୀୟ ଲାଗିବ ।

ଗତବର୍ଷ ଅକ୍ଟୋବରରେ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ମନ୍ତବ୍ୟ ଦେଇଥିଲେ । ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସେ କିମ୍ବା ଏହି ପ୍ରତିଯୋଗିତାକୁ ପାକିସ୍ତାନ ବାହାରକୁ ନିଆଯାଏ, ତାହେଲେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ବୋଲି ପିସିବି ମୁଖ୍ୟ କହିଥିଲେ ।