‘୨୦୩୬ ସୁଦ୍ଧା ଓଡିଶା ହେବ ନମ୍ବର -୧ ସମୃଦ୍ଧ ଓ ସଶକ୍ତ ରାଜ୍ୟ’ : ହିଞ୍ଜିିଳିରେ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି ।

218

କନକ ବ୍ୟୁରୋ: ଆଜି ଗଞ୍ଜାମ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ଏହି କ୍ରମରେ ପ୍ରଥମେ ହିଞ୍ଜିଳିରୁ ଆରମ୍ଭ ହୋଇଛି ବିଜେଡିର ଜୋରଦାର ପ୍ରଚାର । ଏଠାରେ ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଦେଇଛନ୍ତି ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ପ୍ରତିଶ୍ରୁତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ ରାଜ୍ୟରେ ବିଜେଡି ସରକାର ନାରୀ ସଶକ୍ତିକରଣକୁ ସାର୍ଥକ କରିଛି । ରାଜ୍ୟରେ ପାଖାପାଖି ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି । ସେମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପିବାକୁ ବାଟ ଦେଖାଇଛି । ସେମାନଙ୍କୁ ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ବିନା ସୁଧରେ ଲକ୍ଷାଧିକ ଋଣ ମଧ୍ୟ ଦେଇଛି ।
ଏହାସହ ରାଜ୍ୟର ଚାଷୀଙ୍କ ପାଇଁ ମଧ୍ୟ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରିଛି । ଖାଦ୍ୟ ଯୋଗାଣ କ୍ଷେତ୍ରରେ ପିଡିଏସ୍ ଯୋଗାଣକୁ ତ୍ୱରାନ୍ୱିତ କରିଛନ୍ତି ବିଜେଡି ସରକାର । ଏହାସହ ନିବେଶ କ୍ଷେତ୍ରରେ ଓଡିଆ ଆଗୁଆ ରାଜ୍ୟ ହୋଇପାରିଛି । ବିଏସକେୱାଇ ସ୍କିମ ଜରିଆରେ ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଆଗୁଆ ହୋଇଛି ।

୨୦୨୪ରୁ ୨୦୩୪ ପାଇଁ ରାଜ୍ୟର ଯୁବଶକ୍ତିଙ୍କ ପାଇଁ ବିଶେଷ ଯୋଜନା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୧୦ ବର୍ଷରେ ଶିଳ୍ପ, ନିଯୁକ୍ତି ଓ ସ୍କିଲ ଡେଭଲପମେଣ୍ଟ ଜରିଆରେ ଯୁବବର୍ଗଙ୍କ ବିକାଶ ଉପରେ ଫୋକସ୍ କରାଯିବ । ୨୦୨୪ରୁ ୨୦୩୪ ଓଡିଶା ପାଇଁ ହେବ ସୁବର୍ଣ୍ଣ ଯୁଗ, ଏହି ୧୦ ବର୍ଷ ହେବ ‘ ଡିକେଡ୍ ଅଫ୍ ଓଡିଶା’ । ବିକାଶମୂଳକ କାମ ପାଇଁ ଓଡିଶା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ୨୦୩୬ରେ ଓଡିଶା ନମ୍ବର -୧ ସମୃଦ୍ଧ ଓ ସଶକ୍ତ ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।