ପ୍ରଚାରରେ ବଢୁଛି ଆରୋପ-ପ୍ରତ୍ୟାରୋପ ରାଜନୀତି: ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର, ବିଜେପି ନିଶାନାରେ ପ୍ରଣବ

146

କନକ ବ୍ୟୁରୋ: ଗ୍ରୀଷ୍ମପ୍ରବାହ ତାତି ଠାରୁ ବଳିଗଳାଣି ନିର୍ବାଚନ ତାତି । ନେତାଙ୍କ ବୟାନବାଜିରେ ପଡ଼ୁଛି ଉଠୁଛି ପ୍ରଚାର ମଇଦାନ । ଏପରିକି ଗାଦି ଦଖଲ ପାଇଁ ନେତା ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ସିଧାସଳଖ ଆକ୍ଷେପ-ପ୍ରତିଆକ୍ଷେପ କରୁଛନ୍ତି ।

ଆରୋପ-ପ୍ରତ୍ୟାରୋପର ରାଜନୀତି କେମିତି ତୀବ୍ରରୁ ତୀବ୍ରତର ହେଉଛି, ତାହା ସୋସିଆଲ ମିଡ଼ିଆର ପୋଷ୍ଟ ଏବଂ ନେତାଙ୍କ ବୟାନବାଜିରୁ ପ୍ରମାଣିତ ହୋଇଯାଉଛି । ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବାର ମାତ୍ର କିଛି ସମୟ ପରେ ବିଜେଡି ପ୍ର୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପ ଏବଂ ସମ୍ବଲପୁରର ସମଲେଇ ପ୍ରକଳ୍ପର ବିରୋଧୀ କହି ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରକାଶ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଓଡ଼ିଶା ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ଜୟନାରାୟଣ ସମାଲୋଚନା କରି ପ୍ରତିଉତର ରଖିଛନ୍ତି । ଯାହାକୁ ନେଇ ନିର୍ବାଚନୀ ମଂଚରେ ମୁହାମୁହିଁ ହୋଇଛନ୍ତି ପ୍ରଣବ ଓ ଧର୍ମେନ୍ଦ୍ର ।

ସେପଟେ ବିଜେଡି ନେତା କାର୍ତିକ ପାଣ୍ଡିଆନ ମଧ୍ୟ ବିଭିିନ୍ନ ନିର୍ବାଚନୀ ପ୍ରଚାର ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା ଜାରି ରଖିଛନ୍ତି । କେନ୍ତ୍ରମନ୍ତ୍ରୀ ବିକାଶ ବିରୋଧୀ କହି ଆକ୍ଷେପ କରିବା ସହ କେନ୍ଦ୍ରର ନେତାମାନେ ପର୍ଯ୍ୟଟକ ଭଳି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ଭୋଟ ପାଇଁ ଲୋକଙ୍କ ପାଖକୁ ଆସନ୍ତି ବୋଲି କଟାକ୍ଷ କରିଛନ୍ତି ଭି.କେ ପାଣ୍ଡିଆନ୍ । ପ୍ରଚାର ଯେତିକି ପାଖେଇ ଆସୁଛି, ରାଜନୈତିକ ଆରୋପ-ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି । ଆଉ ଏହି ଆରୋପ-ପ୍ରତ୍ୟାରୋପ ବ୍ୟକ୍ତଗତ ସ୍ତରକୁ ବି ଚାଲିଯାଉଛି ।