ପ୍ରାର୍ଥୀଙ୍କ ସତ୍ୟପାଠକୁ ନେଇ ଆସିଲା ଏଡିଆର ରିପୋର୍ଟ: ଶିକ୍ଷାଗତ ଯୋଗ୍ୟତାରେ ପ୍ରଦୀପ ପାଣିଗ୍ରାହୀ ଓ ବୋମମାଳି କାନ୍ତ ରାଓ ସବୁଠାରୁ ଆଗୁଆ

4,712

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା ୩୭ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ସେମାନଙ୍କ ଚିଠା ଖୋଲିଛି ଏଡିଆର ଓ ଇଲେକ୍ସନ ୱାଚ । ଶିକ୍ଷାଗତ ଯୋଗ୍ୟତାରେ ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବୋମମାଳି କାନ୍ତ ରାଓ ସବୁଠାରୁ ଆଗୁଆ ରହିଛନ୍ତି । ୪ଟି ଲୋକସଭା ଆସନରେ ୩୭ ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ଜଣ ଡକ୍ଟରେଟ ଥିବାବେଳେ ଜଣେ ମାଡିନାହାନ୍ତି ସ୍କୁଲ ପିଣ୍ଢା । ବ୍ରହ୍ମପୁରର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ନବ ଭାରତ ନିର୍ମାଣ ସେବା ପାର୍ଟିର ବୋମମାଳି କାନ୍ତ ରାଓ ଡକ୍ଟରେଟ ଥିବାବେଳେ ସିପିଆଇ (ଏମଏଲଏଲ) ପ୍ରାର୍ଥୀ ପ୍ରକାଶ ହିକକ୍କା ସ୍କୁଲ ଯାଇ ନାହାନ୍ତି । ଏହି ପ୍ରାର୍ଥୀଙ୍କ ବ୍ୟତୀତ ୩୭ ଜଣଙ୍କ ମଧ୍ୟରେ ଜଣେ ପଂଚମ ଶ୍ରେଣୀ ପାସ କରିଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀ ୭ ଜଣ ଦଶମ ଶ୍ରେଣୀ ୫ ଜଣ ଜଣ ଦ୍ୱାଦଶ, ୧୦ ଜଣ ଗ୍ରାଜୁଏଟ ଓ ୪ ଜଣ ଗ୍ରାଜୁଏଟ ପ୍ରଫେସନାଲ, ୬ ଜଣ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି ।

ଆପଣଙ୍କ ନେତା କେତେ ସ୍ୱଛ? ଆପଣ ଯାହାକୁ ଭୋଟ ଦେବାକୁ ଯାଉଛନ୍ତି ସେମାନଙ୍କ ଅପରାଧର ତାଲିକା ଆପଣଙ୍କ ପାଖରେ ଅଛି ତ? ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା ୩୭ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଖୋଲିଛି ପ୍ରାର୍ଥୀଙ୍କ ଅପରାଧର ଚିଠା । ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ବିଭିନ୍ନ ଅପରାଧରେ ଜଡିତ ଥିବା ଜଣାପଡିଛି । ସେଥିମଧ୍ୟରୁ ୬ ଜଣ ସଙ୍ଗୀନ ଅପରାଧରେ ସଂପୃକ୍ତ ଥିବା ସତ୍ୟପାଠ ଦାଖଲ ବେଳେ ନିଜେ ସ୍ୱୀକାର କରିଛନ୍ତି । ନବରଙ୍ଗପୁରର ବିଜେଡି ସାସଂଦ ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ନାଁରେ ସର୍ୱାଧିକ ୧୭ଟି ମାମଲା ରହିଛି । ହତ୍ୟା ଉଦ୍ୟମ ମାମଲାରେ ବି ସଂପୃକ୍ତ ଅଛନ୍ତି ପ୍ରଦୀପ । ସତ୍ୟପାଠ ଦାଖଲବେଳେ ଏହା ସ୍ୱୀକାର କରିଛନ୍ତି ପ୍ରଦୀପ ମାଝି । ପ୍ରଦୀପ ମାଝିଙ୍କ ପରେ ୯ଟି ମାମଲାରେ ସଂପୃକ୍ତ ଅଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ସେହିପରି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ୭ଟି ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି । କଂଗ୍ରେସର ସାଂସଦ ପ୍ରାର୍ଥୀ ଭୁଜବଳ ମାଝିଙ୍କ ନାଁରେ ରହିଛି ୩ଟି ଅପରାଧିକ ମାମଲା ।