କାଲିଠୁ ବଦଳିପାରେ ପାଗ: ୭ ତାରିଖରେ ୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ବର୍ଷା ସହ ଝଡ଼ ତୋଫାନ ଆଶଙ୍କା

907

କନକ ବ୍ୟୁରୋ: ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜି ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ଟପିଛି ୫ ସହର । ବୌଦ୍ଧରେ ୪୪ ଦଶମିକ ୬ ଡିଗ୍ରୀ, ନୂଆପଡ଼ାରେ ୪୪ ଦଶମିକ ୪ ଡିଗ୍ରୀ, ବଲାଙ୍ଗିରରେ ୪୪ ଦଶମିକ ୩ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨୬ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ତେବେ କାଲିଠୁ ପାଗରେ ପରିବର୍ତନ ଆସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହାରୀ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଆଜି ମଧ୍ୟ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ିଥିବା ବେଳେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୁଳୁଗୁଳି ଯୋଗୁଁ ଅନୁଭୁତ ତାପମାତ୍ରା ଅଧିକ ରହୁଛି । ଯାହା ରାଜ୍ୟବାସୀଙ୍କୁ ବେଶି କଷ୍ଟ ଦେଉଛି । ଆଗକୁ ବର୍ଷା ସମ୍ଭାବନା ଥିଲେ ମଧ୍ୟ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

କାଲିଠୁ ପାଗରେ ଆସିପାରେ ପରିବର୍ତନ । ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୬ ତାରିଖରେ ୬ ଜିଲ୍ଲା ଏବଂ ୭ ତାରିଖରେ ୨୦ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୮ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ଅନ୍ୟ ସ୍ଥାନରେ ବଜ୍ରପାତ ଓ ଝଡ଼ ତୋଫାନ ଆଶଙ୍କା । ଏ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତି ରହିବ । ତେଣୁ ୬ରୁ ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ତାତି ଅତିଷ୍ଟ କରୁଥିବା ବେଳେ ବର୍ଷା ସମ୍ଭାବନା ଖବର ଆଶ୍ୱସ୍ତି ଆଣିଛି । ତେବେ କାଳବୈଶାଖୀ ଝଡ଼ତୋଫାନ ଯେତିକିି ଆଶ୍ୱସ୍ତି ଦେଇଛି ଝଡ଼ ତୋଫାନ ଆଶଙ୍କା ମନରେ ଛନକା ସୃଷ୍ଟି କରିଛି ।