ନିର୍ବାଚନ ସମୟରେ କୋରାପୁଟରେ ଉଠିଲା ମଦ ବିରୋଧୀ ସ୍ୱର: ତାତିଲେ ମହିଳା, ଥାନାରେ ଦେଲେ ଏତଲା

33

କନକ ବ୍ୟୁରୋ: ନିର୍ବାଚନ ସମୟରେ କୋରାପୁଟରୁ ଉଠିଛି ମଦ ବିରୋଧୀ ସ୍ୱର । ଏମିତି କି ମଦ ବିକ୍ରୀକୁ ବିରୋଧ କରି ଥାନାରେ ଏତଲା ଦେଇଛନ୍ତି ମହିଳା । ମଦ ବିକ୍ରୀ ବନ୍ଦ ନହେଲେ, ଆଇନକୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି । ନିର୍ବାଚନବେଳେ ମହିଳାଙ୍କ ମଦ ବିରୋଧୀ ଏହି ଧମକ ଚର୍ଚ୍ଚାର ବିଷୟ ହୋଇଛି ।

ନିର୍ବାଚନ ସମୟରେ କେଉଁଠି ମହିଳା ପ୍ରାର୍ଥୀ ନିଜ ପାଇଁ ଭୋଟ ମାଗୁଛନ୍ତି ତ ଆଉ କେଉଁଠି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଏଭଳି ସମୟରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବଡ ଦୁବୁଲି ଗାଁର ଏହି ଦୃଶ୍ୟକୁ ଦେଖନ୍ତୁ । ଶତାଧିକ ମହିଳା ମଦ କାରବାର ବନ୍ଦ କରିବା ଦାବିରେ ଘରୁ ବାହାରକୁ ବାହାରିଛନ୍ତି । ମଦ ବିକ୍ରି ବିରୋଧରେ ନାରାବାଜି କରୁଛନ୍ତି । ଏମିତିକି ଥାନାରେ ଏତଲା ଦେଇଛନ୍ତି । ଏବଂ ସମସ୍ୟାର ସମାଧାନ ନହେଲେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।

କୋରାପୁଟର ଏହି ଦୃଶ୍ୟ ବିଂଶ ଶତାବ୍ଦିର ଶେଷ ଦଶକର କଥାକୁ ମନେ ପକାଇ ଦେଇଛି । ରାୟଗଡାର ସୁମନି ଝୋଡିଆ ମଦ ବିରୋଧରେ ଏମିତିି ସ୍ୱର ଉଠାଇଥିଲେ । ସୁମନିଙ୍କ ଏହି ପଦକ୍ଷେପକୁ ସେତେବେଳେ ସମର୍ଥନ କରିଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆଉ ସୁମନିଙ୍କୁ ଦେଇଥିଲେ ପୁଲିସର କ୍ଷମତା ।

କେବଳ ଏହି ଗୋଟିଏ ଗାଁ ନୁହେଁ କୋରାପୁଟ ଓ ଆଦିବାସୀ ଅଧୂଷିତ ବହୁ ଗାଁରେ ରହିଛି ଏମିତି ଦେଶୀ ମଦ ଭାଟି । ଯେଉଁଠି ଜମୁଛି ମଦୁଆଙ୍କ ଆସର । ଏପରିକି କିଛି ରୋଜଗାର କରୁନଥିଲେ ବି ଘରର ମହିଳା ପରିଶ୍ରମ କରି ଆଣୁଥିବା ଟଙ୍କାକୁ ବି ଛଡାଇ ନେଉଛନ୍ତି । ଯାହାଫଳରେ ପରିବାର ସର୍ବସ୍ୱାନ୍ତ ହେଉଥିବାବେଳେ, ଅଶାନ୍ତି ଉପୁଜୁଛି ।

ନିର୍ବାଚନ ସମୟରେ ମଦ କାରବାର ବଢ଼ୁଥିବା କଥା ସମସ୍ତେ ଜାଣନ୍ତି । ରାତି ହେଲେ, ମଦର ଆସର ଜମେ । କିନ୍ତୁ ଏହି ସମୟରେ ମଦ ବିରୋଧୀ ସ୍ୱର ଉଠିବା ଆଲୋଚନାର ବିଷୟ ହୋଇଛି ।