୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ୫ ଆସନରେ କଲା ପ୍ରାର୍ଥୀ ପରିବର୍ତ୍ତନ । ଦେବାଶିଷଙ୍କୁ ଗୋଟିଏ ଦିନରେ ଦଳ ଦେଲା ଟିକେଟ । 

3,061

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ୬ ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ । ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ଦଳ ସୁଯୋଗ ଦେଇଛି ।  ସେହିଭଳି ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ବଦଳରେ ହିମାଂଶୁ ଚାଉଳିଆ ଓ ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି । ଆଠଗଡରେ ସୁଦର୍ଶନ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନୀଳଗିରି ଆସନରେ ଦଳ ଅକ୍ଷୟ ଆଚାର୍ଯ୍ୟଙ୍କୁ ମୈଦାନକୁ ଓହ୍ଲାଇଛି ।

ଗତକାଲି ଦେବାଶିଷ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଆଉ ଆଜି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ଦେବାଶିଷଙ୍କୁ ମୈଦାନକୁ ଓହ୍ଲାଇଛି । ଫଳରେ ବରୀରେ ଚଳିତଥର ରୋଚକ ହେବ ଲଢେଇ । ସେହିଭଳି ଜଳେଶ୍ୱର ଆସନରୁ ଦେବୀପ୍ରସାଦ ଚାନ୍ଦଙ୍କୁ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କିନ୍ତୁ ସୁଦର୍ଶନ ଦାସଙ୍କ ସମର୍ଥକ ଏନେଇ ବିରୋଧ ପ୍ରଦର୍ଶନ ଓ ପ୍ରତିବାଦ କରିବା କାରଣରୁ ଏଠାରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ସୁଦର୍ଶନଙ୍କୁ ପୁଣିଥରେ ଲଢିବାକୁ ସୁଯୋଗ ଦେଇଛି ଦଳ ।