ଦିନକ ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ରବିବାର ଭାରତ-ଅଷ୍ଟ୍ରେଲିଆ ବିଗ ଫାଇଟ

400

କନକ ବ୍ୟୁରୋ : ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ଟାଇଟଲ୍ ଲଢ଼େଇରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ ।
ରବିବାର ସୁପରଫାଇଟ୍
-୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଫାଇନାଲ ଖେଳିଥିଲା ଭାରତ
-ପ୍ରଥମେ ବ୍ୟାଟିଂ କରି ଭାରତକୁ ୩୬୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା କଙ୍ଗାରୁ ଦଳ
-ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା
-ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ୍ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ
– ୧୨୬ ରନରେ ହାରି ଟାଇଟଲରୁ ବଂଚିତ ହୋଇଥିଲା ଭାରତ
ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଏପର୍ଯ୍ୟନ୍ତ ବିଶ୍ୱକପ୍ରେ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ ।

ସେପଟେ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଂକା ଥିଲା ତାହା ଏବେ ୩୦ ହଜାର ଟଂକା ହୋଇଛି । ଗୁରୁବାର ସଂଧ୍ୟାରେ ବେଙ୍ଗାଲୁରୁରୁ ଅହମଦାବାଦ ଯିବା ଯେଉଁ ଟିକେଟ୍ର ଦାମ ୫ ହଜାର ୭୦୦ ଟଙ୍କା ଥିଲା, ତାହା ଏବେ ୩୩ ହଜାର ଟଂକା ହୋଇଛି । ସର୍ବାଧିକ ଭଡ଼ା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ସର୍ବାଧିକ ଭଡା ୨୮ ହଜାର ୭୭୮ ଟଂକା ରହିଛି । ସେପଟେ ଅହମଦାବାଦରେ ହୋଟେଲ ଦର ମଧ୍ୟ ଆକାଶଛୁଆଁ ରହିଛି ।

ମ୍ୟାଚ୍କୁ ଭବ୍ୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଏହି ପରିପ୍ରେକ୍ଷୀରେ ଫାଇନାଲ୍ ପୂର୍ବରୁ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଏୟରେ ଶୋ’ର ଆୟୋଜନ କରିବ । ଗୁଜରାଟ ସେନାର ଜନସମ୍ପର୍କ ଅଧିକାରୀ ପକ୍ଷରୁ କୁହାଯାଇଛି ଯେ ଫାଇନାଲ୍ ପୂର୍ବରୁ ସୂର୍ଯ୍ୟକିରଣର ଏରୋବେଟିକ୍ ଟିମ୍ ୧୦ ମିନିଟ୍ ପର୍ଯ୍ୟନ୍ତ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ସେମାନଙ୍କର କୌଶାଳ ଦେଖାଇବେ । ଏୟାରଶୋ’ର ଡ୍ରେସ ରିହଲସାଲ ଶୁକ୍ରବାର ଓ ଶନିବାର ହେବ । ଆଜି ଦ୍ୱିପ୍ରହରରେ ଏହାର ରିହରସାଲ କରାଯାଇଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ରେ ୯ଜଣ ଏୟାରକ୍ରାଫ୍ଟ ସାମିଲ ଅଛନ୍ତି । ସେହିପରି ଫାଇନାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ