ଭୁବନେଶ୍ୱରରୁ ନିଖୋଜ, ଓଲଟପୁରରୁ ମୃତଦେହ ଠାବ: ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ବିଲରୁ ମିଳିଲା ଶବ ଉଠିଲା ପ୍ରଶ୍ନ

237

କନକ ବ୍ୟୁରୋ: ରାଜଧାନୀରେ ଅଂଗ ଚୋରି ଅଭିଯୋଗ । ମର ଶରୀର ଦେହରୁ କିଡନୀ, ଆଖି ଆଦି କାଢି ନିଆଯାଇଥିବା ଅଭିଯୋଗ ରହିଛି । ଯୁବକ ଜଣଙ୍କ ଆମ୍ବୁଲାନ୍ସରେ ଭୁବନେଶ୍ୱରରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଯାଇଥିଲେ । ଆଉ ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲ ମଝିରୁ ଉଦ୍ଧାର ହୋଇଛି । ତାଙ୍କ ପେଟ ଚିରାହୋଇ ସିଲାଇ କରାଯାଇଥିବାରୁ ସେ ଅଙ୍ଗଚୋରି ରାକେଟ ହାବୁଡ଼ରେ ପଡ଼ିଯାଇଥିଲେ ବୋଲି ସନ୍ଦେହ ହେଉଛି । ମୃତ ଯୁବକ ହେଉଛନ୍ତି ପୁରୁଣା ଭୁବନେଶ୍ୱର ଅଂଚଳର ଧ୍ରୁବଚରଣ ରାଉତରାୟଙ୍କ ପୁଅ କେଳୁଚରଣ ରାଉତରାୟ ।

ଶୁକ୍ରବାର ସକାଳେ ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ରାସ୍ତାର ଇଚ୍ଛାପୁର ଗାଁରେ ଏକ ବିଲରୁ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ମୁହଁରେ ଏସିଡ୍ ପକାଇ ପୋଡ଼ି ଦିଆଯାଇଥିବା ଏବଂ ପେଟ ଚିରି ସିଲେଇ କରାଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଓଲଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏଥିସହ ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ୍ରୁ ନମ୍ବର ବାହାର କରି ପରିବାର ସହ ଯୋଗାଯୋଗ କରିଥିଲା । ଏହାପରେ ପରିବାରବର୍ଗ ପହଂଚିି ମୃତଦେହ କେଳୁଚରଣ ରାଉତରାୟଙ୍କର ବୋଲି ଚିହ୍ନଟ କରିଥିଲେ । ଗତ ୧୨ ତାରିଖରେ କେଳୁଚରଣ ପୁରୁଣା ଭୁବନେଶ୍ୱରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଏହାପରଠୁ ତାଙ୍କର କୌଣିସ ଖୋଜ ଖବର ମିଳିନଥିଲା । ଡାକ୍ତରଖାନାରୁ ତାଙ୍କର କୌଣସି ଖୋଜ ଖବର ନପାଇବା ପରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହାକୁ ସେଭଳି ଗୁରୁତର ସହ ନେଇନଥିଲା । ଏବେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି । ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, ଆମ୍ବୁଲାନ୍ସକୁ କିଏ ଯୋଗାଯୋଗ କରିଥିଲେ । ସଂପୃକ୍ତ ଆମ୍ବଲାନ୍ସର ଠିକଣା ଏବେ ଅଛି ତ? ହସ୍ପିଟାଲକୁ କାହା ସହିତ ଯାଇଥିଲେ କେଳୁଚରଣ? ଯଦି ଯାଇଥିଲେ, ସେମାନେ କିଏ ଓ ଏବେ କେଉଁଠି?