ଆଜି ପୁରୀରେ ମୋଦିଙ୍କ ରୋଡ ସୋ’ । ମହାପ୍ରଭୁଙ୍କ ଦର୍ଶନ ପରେ ବିଶାଳ ରୋଡ ସୋ’ କରିବେ ମୋଦି ।

118

କନକ ବ୍ୟୁରୋ : ଆଜି ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ । ସକାଳୁ ରାଜଭବନରୁ ପୁରୀ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୭ଟାରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଦ୍ୱାରଫିଟାଠାରୁ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ସକାଳ ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିବ । ଛାତ ଉପରେ ସଶସ୍ତ୍ର ପୁଲିସ ଜଗିବେ । ଡ୍ରୋନ୍ ଉଡ଼ିବା ଉପରେ କଟକଣା ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସକାଳ ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଗତକାଲି ରାତିରେ ନିର୍ବାଚନ ୱାର ରୁମରେ ପ୍ରଧାନମନ୍ତ୍ରୀ କରିଛନ୍ତି ସମୀକ୍ଷା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ନିର୍ବାଚନ ପରିଚାଳନା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧ ଘଂଟାଏ ଧରି ମୋଦି ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ୱାର ରୁମ୍, ପ୍ରଚାର ଏବଂ ବୁଥ ମ୍ୟାନେଜମେଣ୍ଟର ମଧ୍ୟ ସମୀକ୍ଷା କରିଛନ୍ତି । ନିର୍ବାଚନରେ ଦଳର କେଉଁ ନେତା କେଉଁ ଦାୟିତ୍ୱରେ ଅଛନ୍ତି ପଚାରି ବୁଝିଛନ୍ତି ମୋଦି । ଯେଉଁମାନେ ଟିକେଟ ନପାଇ ଦଳୀୟ କାର୍ଯ୍ୟରେ ଅଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଦଳୀୟ କାର୍ଯ୍ୟରେ ଥିବା ନେତା ଓ କର୍ମୀ କେତେବେଳେ ଖାଇବା ପିଇବା କରୁଛନ୍ତି ସେ ବାବଦରେ ଆଲୋଚନା କରିଛନ୍ତି । ଅନ୍ତିମ ଥର ପାଇଁ ୧୯୮୬ରେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆସିଥିଲେ ବୋଲି କହିଛନ୍ତି ମୋଦି ।