ନିର୍ବାଚନ ବେଳେ ବାତ୍ୟା ଆଶଙ୍କା । ୨୨ରେ ଲଘୁଚାପ, ୨୪ରେ ନେଇପାରେ ଅବପାତର ରୂପ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର ।

141

କନକ ବ୍ୟୁରୋ : ନିର୍ବାଚନ ବେଳେ ଓଡ଼ିଶାକୁ ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହା ବାତ୍ୟାରେ ରୂପ ନେବ ନା ନାହିଁ ତାହା ସ୍ପଷ୍ଟ ହେବ । ତେଣୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଗରମ ଓ ଗୁଳୁଗୁଳି ଭିତରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ବର୍ଷା ଭିଜାଇବା ଆଶଙ୍କା ରହିଛି । କାରଣ ଦିନେ ଦୁଇଦିନ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । କ୍ରମେ ଏହା ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି
ପ୍ରାଥମିକ ସ୍ତରରେ ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା
ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ନେଇପାରେ ଅବପାତ ରୂପ

ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏବେ ଠାରୁ କିଛି ଆକଳନ କରିନାହିଁ ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ହେବା ପରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ତେଣୁ ଏ ନେଇ ବର୍ତ୍ତମାନ ଠାରୁ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ, ଉପକୂଳ ଓଡ଼ିଶାରେ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

ସବୁଠୁ ବଡ଼ କଥା ହେଲା
ପ୍ରାକ୍ ମୌସୁମୀ ସମୟରେ ବାତ୍ୟା ଆଶଙ୍କା ରହିଥାଏ
ଏବେ ବାତ୍ୟା ହେବା ପାଇଁ ପାଣିପାଗ ମଧ୍ୟ ଅନୁକୂଳ ରହିଛି

ଓଡ଼ିଶାରେ ମେ’ ମାସରେ ଅନେକ ଥର ବାତ୍ୟା ହୋଇଛି । ଗତ ନିର୍ବାଚନ ଅର୍ଥାତ ୨୦୧୯ ମେ’ ମାସରେ ବାତ୍ୟା ‘ଫନି’ର ତାଣ୍ଡବ ଦେଖିଛନ୍ତି ଓଡ଼ିଶାବାସୀ । ପୁଣିଥରେ ଏହି ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ବାତ୍ୟା ଆଶଙ୍କା ଘନଉଛି । ଅନ୍ତର୍ଜାତୀୟ ମଡେଲ ମଧ୍ୟ ବଙ୍ଗୋପସାଗରରେ ବାତ୍ୟା ଆସିପାରେ ବୋଲି ପୂର୍ବାନୁମାନ କରିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ।

ଏସବୁ ଭିତରେ ଆଣ୍ଡାମାନ ଛୁଇଁଛି ମୌସୁମୀ । ରଜ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଣିପାଗ ବିଭାଗର ଆକଳନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆଣ୍ଡାମାନ ଉପକୂଳ ଛୁଇଁଛି । ଜୁନ ୧ ତାରିଖରେ କେରଳ ଉପକୂଳ ଦେଇ ଗତି କରିପାରେ ମୌସୁମୀ । ଆଉ ଜୁନ ୧୫ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ ।