କଟକ-ବାରବାଟୀ ଆସନରେ ମୋକିମଙ୍କ ସ୍ଥାନରେ ଲଢିବେ କି ଝିଅ ସୋଫିଆ? ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଘନ ଘନ ବୈଠକ ।

123

କନକ ବ୍ୟୁରୋ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏଥର ନିର୍ବାଚନ ଲଢିପାରିବେ ନାହିଁ । ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ସୁ୍ପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହାପରେ ତାଙ୍କ ଝିଅ ସୋଫିଆ ଫିରଦୌସ ପ୍ରାର୍ଥୀ ହେବା ନେଇ ପଥ ଏକପ୍ରକାର ପରିଷ୍କାର ହୋଇଛି ।

ସମର୍ଥକଙ୍କ ସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଘନ ଘନ ବୈଠକ । ଏଆରଏଚଡିସି ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେବା ପରେ ଏବେ ମୋକିମ ଆଉ ନିର୍ବାଚନ ଲଢିପାରିବେ ନାହିଁ । ତେଣୁ କଟକ-ବାରବାଟୀରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି ମହମ୍ମଦ ମୋକିମ ।

  • ମୋକିମଙ୍କ ଝିଅ ହେବେ କି ପ୍ରାର୍ଥୀ ?
  • ଏଆଇସିସିକୁ ଦିଆଯିବ ପ୍ରସ୍ତାବ

ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ପରେ କଟକ-ବାରବାଟୀ ଆସନରୁ ସୋଫିଆ ଫିରଦୌସଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ନିଷ୍ପତ୍ତି ହୋଇଛି । ଏ ନେଇ ଏଆଇସିସିକୁ ପ୍ରସ୍ତାବ ଦେବେ ମୋକିମ ଆଉ ଏଆଇସିସିର ଅନୁମୋଦନ ପରେ ପ୍ରାର୍ଥୀ ହେବେ ସୋଫିଆ ଫିରଦୌସ । ମୋକିମ କହିଛନ୍ତି, କଟକ-ବାରବାଟୀରେ କଂଗ୍ରେସ ଜିତିବ ।

ସୂଚନାଯୋଗ୍ୟ ଯେ, ସୋଫିଆ ଏବେ ରିଅଲ ଇଷ୍ଟେଟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ମୋକିମଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତିକୁ ନେଇ ସେ ଏବେ ନିର୍ବାଚନ ମୈଦାନକୁ ଆସିବେ । ଆଉ କୁହାଯାଉଛି , ତାଙ୍କ ଝିଅ ପ୍ରାର୍ଥୀ ହେଲେ ନିର୍ବାଚନ ଲଢିବା ସହଜ ହେବ ।

୨୦୧୯ରେ ମୋକିମ କଟକ-ବାରବାଟୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏବେ ଦଣ୍ଡାଦେଶ ଯୋଗୁଁ ମୋକିମ ନିର୍ବାଚନ ଲଢିପାରିବେ ନାହିଁ । ଏହି ଆସନକୁ ନେଇ କଂଗ୍ରେସ ବି ଦ୍ୱନ୍ଦ୍ୱରେ ରହିଥିଲା । ଏବେ ଖୁବଶୀଘ୍ର ନାଁ ଘୋଷଣା କରିବ ଏଆଇସିସି । ତେବେ ବର୍ତ୍ତମାନ କଟକ-ବାରବାଟୀରେ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ରହିଛି । ବିଜେଡି ପ୍ରକାଶ ବେହେରା ପ୍ରାର୍ଥୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ଆଉ ଯିଏ ବି ପ୍ରାର୍ଥୀ ହେଲେ ବି ନିର୍ବାଚନ ରୋଚକ ହେବା ସ୍ପଷ୍ଟ ହୋଇଛି ।