୪୫ ଡିଗ୍ରୀ ଟପିପାରେ ପାରଦ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ୨୭ ଓ ୨୮ ତାରିଖରେ ସାଂଘାତିକ ହେବ ତାତି ।

124

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ସତ୍ୱେ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳିନାହିଁ । ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସତର୍କ କରିଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ୨୭ ଓ ୨୮ ତାରିଖରେ ଗ୍ରୀଷ୍ମ ପ୍ରବାହ ଚେତାବନୀ
  • ୧୦ ଜିଲ୍ଲାରେ ତାପମାତ୍ରା ଟପିପାରେ ୪୫ ଡିଗ୍ରୀ

୨୫ ତାରିଖରୁ ତାତି ବଢ଼ିବାରେ ଲାଗିବ । ୨୬ ତାରିଖରୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୬ ତାରିଖ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଦିଆଯାଇଥିବା ବେଳେ ୪ ଜିଲ୍ଲା ପାଇଁ ରହିଛି ୟେଲୋ ୱାର୍ଣ୍ଣିଂ । କିନ୍ତୁ ୨୭ ଓ ୨୮ ତାରିଖ ପାଇଁ ଯେଉଁ ସତର୍କ ସୂଚନା ଜାରି କରାଯାଇଛି, ତାହା ଚିନ୍ତା ବଢ଼ାଇ ଦେଇଛି । କେବଳ କୋରାପୁଟକୁ ଛାଡିଦେଲେ ବାକି ୨୯ ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୦ଟି ଜିଲ୍ଲାର ସ୍ଥିତି ସାଂଘାତିକ ହୋଇପାରେ । ୪୫ ଡିଗ୍ରୀ ଟପି ଯାଇପାରେ ତାପମାତ୍ରା ।

ଚଳିତ ବର୍ଷ ଏପ୍ରିଲ୍ ମାସରେ ଦୁଇଟି ପର୍ଯ୍ୟାୟରେ ୧୧ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତୃତୀୟ ପର୍ଯ୍ୟାୟରେ ୨୬ ତାରିଖରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କାହିଁକି ବଢୁଛି ତାତି?

  • ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଗରମ-ଶୁଷ୍କ ପବନ ପ୍ରବେଶ କରୁଛି
  • କାଳବୈଶାଖୀ ପ୍ରଭାବରେ ସେପରି ବର୍ଷା ହେଉନାହିଁ
  • ଉଷ୍ମ-ଆର୍ଦ୍ର ଜଳବାୟୁ ସ୍ଥିତି ଜାରି ରହିଛି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହି ରହିଥିବା ବେଳେ ୧୮ ଜିଲ୍ଲାରେ ଅଂଶୁଘାତର ପ୍ରଭାବ ଦେଖିବାକୁ ମିଳିଛି । ଅଂଶୁଘାତ ଜନିତ ଓ ପ୍ରବଳ ଗରମ ଯୋଗୁଁ ୧୨୪ ଜଣ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୨ ଜଣ ଅଂଶୁଘାତ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଉ ଖରାରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତାତିରୁ କେମିତି ମିଳିବ ତ୍ରାହି?

  • ସିଧା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ ନାହିଁ
  • ଶୋଷ ହେଉ ବା ନହେଉ ପ୍ରଚୁର ପାଣି, ତୋରାଣି, ଆଖୁ ରସ, ଲେମ୍ବୁ ପାଣି, ଓଆରଏସ୍ ଆଦି ପିଅନ୍ତୁ
  • ଶରୀରରୁ ଯେପରି ଜଳୀୟ ଅଂଶ ନକମେ, ସେଥିପତି ଦୃଷ୍ଟି ଦିଅନ୍ତୁ
  • ମଦ, ଚା’, କଫି ଓ ମୃଦୁ ପାନୀୟରୁ ଦୂରେଇ ରୁହନ୍ତୁ
  • ଘରୁ ବାହାରିଲେ ଓଦା କପଡ଼ା ମୁଣ୍ଡରେ ପକାନ୍ତୁ
  • ଦିନ ୧୧ଟାରୁ ୩ଟା ମଧ୍ୟରେ ଘର ବାହାରେ କଠିନ କାର୍ଯ୍ୟ ନକରିବାକୁ ପରାମର୍ଶ