କାଲି ଓଡିଶା ଆସୁଛନ୍ତି ଅମିତ ଶାହ । ସୋନପୁରରେ ସଭା କରି ମାଗିବେ ଭୋଟ୍ । ଶାହାଙ୍କ ସ୍ୱର ନରମ ହେବ ନା ଗରମ? 

84

କନକ ବ୍ୟୁରୋ: ନିର୍ବାଚନ ପାଇଁ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇଥିବାବେଳେ, ବିଜେପି ଓ କଂଗ୍ରେସର ବଡ ନେତା ଓଡିଶା ଆସୁଛନ୍ତି । କାଲି ସୋନପୁର ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏଥିପାଇଁ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ତେବେ ୨୦୧୯ରେ ନିର୍ବାଚନ ପ୍ରଚାର ବେଳେ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ ଅମିତ ଶାହ । ତେଣୁ କାଲିର ସଭାରେ ବିଜେପିର ଚାଣକ୍ୟ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

  • ଆସିବେ ଶାହ, କହିବେ କ’ଣ? 
  • ସ୍ୱର ନରମ ହେବ ନା ଗରମ? 

ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା । ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ । ଶାହାଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ସୋନପୁର ସମେତ ଓଡିଶା ରାଜନୀତି । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ୁଥିବାରୁ ତାଙ୍କୁ କାଉଣ୍ଟର କରିବା ସହିତ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପାଇଁ ଶାହା ସୋନପୁରକୁ ବାଛିଥିବା କହିଛନ୍ତି ବିଜେପି ନେତା ।

ଏହା ପୂର୍ବରୁ ଅମିତ୍ ଶାହା ଓଡିଶା ଗସ୍ତରେ ଆସିଥିବାବେଳେ ବିଜେଡି ଓ ରାଜ୍ୟ ସରକାରଙ୍କୁ ସେଭଳି ଟାର୍ଗେଟ କରିନଥିଲେ । ୨୦୧୯ ନିର୍ବାଚନ ସମୟରେ ଶାହା ଯେମିତି ବିଜେଡିକୁ କଡା ଭାଷାରେ ଆକ୍ରମଣ କରୁଥିଲେ, ତା ପରେ ତାହା ଆଉ ଦେଖିବାକୁ ମିଳିନଥିଲା । ଅନ୍ୟପଟେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାହାଙ୍କ ସହ ନବୀନଙ୍କ ଭଲ ସମ୍ପର୍କର ଚିତ୍ର ସାମ୍ନାକୁ ଆସିଛି । ତେଣୁ ଏଥର ରାଜ୍ୟ ସରକାର ଓ ବିଜେଡିକୁ ନେଇ ଶାହାଙ୍କ ଆଭିମୁଖ୍ୟ କଣ ରହିବ? ସେ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଓଡିଶାରେ ବିଜେପି ସରକାର ଗଢ଼ିବାକୁ ଶାହା କହିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

ବଡ କଥା ହେଉଛି, ସୋନପୁରରେ ଜନସଭା ଶେଷ ହେବା ପରେ ଭୁବନେଶ୍ୱର ଆସିବେ ଶାହା । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ପର୍ଯ୍ୟାୟକ୍ରମେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିବେ । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି ।