କାହିଁକି ଇସ୍ତଫା ଦେଲେ ନିର୍ବାଚନ କମିସନର? ମତଭେଦ ନା ଲଢି଼ବେ ଲୋକସଭା ନିର୍ବାଚନ?

285

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନାହି ଁ । ଆଉ ତା ପୂôର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ଏହି ଇସ୍ତଫାର କାରଣ ସ୍ପଷ୍ଟ ହୋଇନଥିଲେ ବି ହଠାତ ଅରୁଣ ଗୋଏଲ ଇସ୍ତଫା ଦେବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି ।

ତିନି ଜଣିଆ ନିର୍ବାଚନ କମିଶନଙ୍କ ଟିମରୁ ଗୋଟିଏ ପଦ ଖାଲି ରହିଥିବା ବେଳେ ନିର୍ବାଚନ କମିସନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ମଧ୍ୟ ଇସ୍ତଫା ଗ୍ରହଣ କରିଛନ୍ତି । ଏବେ ଏକାକୀ ମୁଖ୍ୟ ସଦସ୍ୟ ସିଇସି ଅର୍ଥାତ୍ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଆୟୋଗରେ ରହିଛନ୍ତି ।

ତେବେ କେଉଁ କାରଣରୁ ପଦ ଛାଡିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ନିର୍ବାଚନ ବେଳେ ହଠାତ ଅରୁଣ ଗୋଏଲ ଇସ୍ତଫା ଦେବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ନିର୍ବାଚନ ପରିଚାଳନାକୁ ନେଇ ମତଭେଦ ନା ନିଜେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିବାରୁ ଅରୁଣ ଗୋଏଲ ଏଭଳି ନିଷ୍ପତି ନେଲେ ଏହାକୁ ନେଇ ଚର୍ଚ୍ଚା ବଢିଛି । ମିଳିଥିବା ସୂଚନା ଅନୁଯାୟୀ, ନିକଟ ଅତୀତରେ ସିଇସି ଓ ଅରୁଣ ଗୋଏଲଙ୍କ ମଧ୍ୟରେ କୌଣସି ଫାଟ ନାହିଁ । ତେବେ ତାଙ୍କ ନିଯୁକ୍ତି ପରଠାରୁ ହୋଇଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଗୋଏଲଙ୍କ ମତାମତ ଅନ୍ୟ ସଦସ୍ୟଙ୍କଠୁ ଅଲଗା ରହିଥିଲା । ଅନ୍ୟପଟେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିର୍ବାଚନ ତାରିଖ ଆଉ କେଇଟା ଦିନ ପରେ ଘୋଷଣା ହେବ । ଏହାପୂର୍ବରୁ ଜଣେ ପ୍ରମୁଖ ଅଧିକାରୀ ହଠାତ୍ ଇସ୍ତଫା ଦେବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେହିପରି ସରକାର ଏ ବାବଦରେ ଆବଶ୍ୟକ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ବୋଲି ଅନ୍ୟ ବିରୋଧୀ ଦଳର ନେତା ଦାବି କରିଛନ୍ତି ।

ଅରୁଣ ଗୋଏଲଙ୍କ ଇସ୍ତଫା ଲୋକସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ କରିପାରେ ବୋଲି କୁହାଯାଉଛି । ଏବେ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ସରକାର ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା କିମ୍ବା ସର୍ବବୃହତ ଦଳର ନେତା ଏବଂ ଏଥିପାଇଁ ମନୋନୀତ କ୍ୟାବିନେଟ୍ ମନ୍ତ୍ରୀ ଖୁବ୍ ଶୀଘ୍ର ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବେ । ସେପଟେ ଚର୍ଚ୍ଚା ହେଉଛି ପଂଜାବର କୌଣସି ଆସନରୁ ଗୋଏଲ ସାଂସଦ ଭାବେ ପ୍ରାର୍ଥୀ ହୋଇପାରନ୍ତି । ଖୁବଶୀଘ୍ର ସେ କୌଣସି ଦଳରେ ଯୋଗ ଦେଇପାରନ୍ତି ।

୧୯୯୩ ପରଠାରୁ ନିର୍ବାଚନ କମିସନ କେବେ ବି ଏକକ ସଦସ୍ୟ ବିଶିଷ୍ଟ ସଂସ୍ଥା ହୋଇନଥିଲା । ହେଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକାକୀ ଲୋକସଭା ନିର୍ବାଚନ ଘୋଷଣା କରିବାରେ ସକ୍ଷମ । ଏଥିରେ କୌଣସି ଆଇନଗତ କିମ୍ବା ସାମ୍ବିଧାନିକ ପ୍ରତିବନ୍ଧକ ନାହିଁ । ସମ୍ବିଧାନର ଧାରା ୩୨୪ରେ ନିର୍ବାଚନ ଆୟୋଗର ଏକକ ସଦସ୍ୟଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।