ଚୋରାବାଲିରେ ୩ ଜଣଙ୍କ ସଲିଳ ସମାଧି: ୮ ଘଂଟାର ଅପରେସନ ପରେ ମୃତଦେହ ଉଦ୍ଧାର

656

କନକ ବ୍ୟୁରୋ: ଯାଇଥିଲେ ଜନ୍ମଦିନ ପାଳିବାକୁ, ହେଲେ ବାଟରେ ଜଗିଥିଲା ମୃତ୍ୟୁ । ସୁନ୍ଦରଗଡର ଇବ୍ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡ଼ି ନିଖୋଜ ଘଟଣାରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗାଧେଇବାକୁ ଯାଇଥିବାବେଳେ ନଦୀର ଚୋରାବାଲିରେ ବୁଡି ୩ ଜଣ ନିଖୋଜ ହୋଇଯାଇଥିଲେ । ଆଉ ଆଜି ସକାଳେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରଶାସନର ଉଦାସୀନତାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ମହମ୍ମଦ ରିଜୱାନ, ମହମ୍ମଦ ଫରାନ, ମହମ୍ମଦ ସାହିଦ ଏମାନେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଇବ୍ ନଦୀର ଚୋରା ବାଲିରେ ତାଙ୍କୁ କାଳ ଅପେକ୍ଷା କରି ରହିଛି । ମହମ୍ମଦ ଫାରାନଙ୍କ ଜନ୍ମଦିନ ପାଳିବାକୁ ପରିବାର ଆସିଥିଲେ ସୁନ୍ଦରଗଡ ସଦର ଥାନା ଅଂଚଳର ସାମିଆନ ନିକଟ ଇବ ନଦୀ କୂଳକୁ । ଭୋଜି ପରେ ଅପରାହ୍ଣରେ ଫାରାନ ଓ ରିଜୱାନ ଖେଳିବା ପାଇଁ ନଦୀକୁ ଓହ୍ଲାଇଥିଲେ । ନଦୀରେ ଖେଳିବା ବେଳେ ଚୋରାବାଲିରେ ଦୁହେଁ ଫସି ଯାଇ ଚିକ୍ରାର କରିଥିଲେ । ପାଟି ଶୁଣି ବଂଚାଇବାକୁ ଆସି ନିଜେ ଚୋରାବାଲିରେ ଫସି ବୁଡି ଯାଇଥିଲେ ମହମ୍ମଦ ସାହିଦ । ଦେଖୁ ଦେଖୁ ୩ ଜଣ ବୁଡି ନିଖୋଜ ହୋଇଯାଇଥିଲେ ।

ଚୋରାବାଲିରେ ୩ ଜଣଙ୍କ ସଲିଳ ସମାଧି
୮ ଘଂଟାର ଅପରେସନ ପରେ ମୃତଦେହ ଉଦ୍ଧାର
ଗୋଟିଏ ପରିବାରର ୩ ଜଣଙ୍କ ସଲିଳ ସମାଧି ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ଅଗ୍ନିଶମ ବାହିନୀ । ରାତି ୧୦ଟା ଯାଏଁ ଖୋଜାଖୋଜି କରିବା ପରେ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ସକାଳ ୬ଟାରୁ ପୁଣି ଆରମ୍ଭ ହୋଇଥିଲା ଅପରେସନ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ୱରର ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ କ୍ୟାମେରା ଓ ବୁଡାଲି ସହାୟତାରେ ଉଦ୍ଧାର ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୁନ୍ଦରଗଡ ସଦର ଥାନା ଅଂଚଳର ସାମିଆନା ନିକଟରେ ଇବ ନଦୀର ଚୋରାବାଲିରେ ଫସି ପୂର୍ବରୁ ମଧ୍ୟ ୪ଜଣଙ୍କ ଜୀବନ ଯାଇଛି । ହେଲେ ପ୍ରଶାସନର ଉଦାସୀନତା ଯୋଗୁଁ ଲୋକଙ୍କ ଜୀବନ ଯାଉଥିବା କହିୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ସତର୍କ ସୂଚନା ଫଳକ ସହ ବ୍ୟାରିକେଡ ଲଗାଇବା ଏବଂ ଅଂଚଳକୁ ଡେଞ୍ଜର ଜୋନ ଘୋଷଣା କରିବାକୁ ଦାବି କରିଛନ୍ତି ।

ଗୋଟିଏ ପରିବାରର ୩ଜଣ ଇବ ନଦୀରେ ବୁଡି ପ୍ରାଣ ହରାଇବା ଘଟଣାକୁ ନେଇ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରଶାସନର ଉଦାସୀନତାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।