ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କାହିଁକି ଗୁଳି କଲେ ଏଏସଆଇ? ଗୋପାଳକୃଷ୍ଣଙ୍କ ଗୁଳି କରିବା ପଛର କାରଣ କ’ଣ?

1,650

କନକ ବ୍ୟୁରୋ: ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସେହି ଗାନ୍ଧୀ ଛକ ପୋଲିସ ଆଉଟପୋଷ୍ଟରେ ମୁତୟନ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିବା କରିଛନ୍ତି । ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେଠାରେ ମୁତୟନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଅନ୍ୟଜଣେ କନେଷ୍ଟବଳ । ସବୁ ଏତେ ହଠାତ ଘଟିଗଲା ଯେ, କେହି କିଛି ବୁଝି ପାରିନଥିଲେ ।

ଗୁଳିକାଣ୍ଡ ପରେ ଗୋପାଳଙ୍କୁ କାବୁ କରି ପୋଲିସ ନିଜ ହେପାଜତରେ ରଖିଛି । ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେଉଁ ପରିସ୍ଥିତିରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କ ଉପରକୁ ଗୁଳି କଲେ ତାର କାରଣ ଖୋଜିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ଯେଉଁ ଟିମର ନେତୃତ୍ୱ ନେଉଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ୯ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବ୍ରଜରାଜନଗରରେ ପହଞ୍ଚି ସାରିଛି । ମିଳିଥିବା ସୂଚନା ଅନୁସାରେ ଡିଏସପି ରମେଶ ଦୋରାଙ୍କ ତତ୍ୱାବଧାନରେ ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ ଟିମ୍ । ଗାନ୍ଧୀ ଛକରେ ଗୁଳିକାଣ୍ଡସ୍ଥଳକୁ ପୋଲିସ ସିଲ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସେଠାରେ ଅନୁସନ୍ଧାନ ଚଳାଇଛନ୍ତି । ସେପଟେ ଗୋପାଳଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ତାଙ୍କର ମାନସିକ ଅବସ୍ଥା ଠିକ ନଥିଲା ।

ଏହାରି ଭିତରେ ଆଉଏକ ସାଂଘାତିକ ସୂଚନା ସାମ୍ନାକୁ ଆସିଛି । ନବ ଦାସଙ୍କୁ ଗୁଳିମାଡର ଦିନକ ଆଗରୁ ତାଙ୍କ ବ୍ୟବସାୟୀ ବନ୍ଧୁ ସଂଜୟ ନନ୍ଦଙ୍କୁ ମିଳିଥିଲା ହତ୍ୟା ଧମକ । ଏନେଇ ସେ ସୁନ୍ଦରଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗରେ ସଂଜୟ ଦର୍ଶାଇଛନ୍ତି ଯେ, କେହି ଦୁର୍ବୃତ ତାଙ୍କଠାରୁ ୫୦ ଲକ୍ଷ ଟଙ୍କା ଦାବି କରିବା ସହ ହତ୍ୟା ଧମକ ଦେଇଥିଲେ । ସଞ୍ଜୟ ନନ୍ଦ ମା’ ତରିଣୀ ଟ୍ରାନ୍ସପୋର୍ଟର ମାଲିକ ହୋଇଥିବାବେଳେ ନବ ଦାସ ଏଥିରେ ବ୍ୟବସାୟିକ ସହଯୋଗୀ ଥିବା କୁହାଯାଉଛି । ତେଣୁ ଦୁଇଟି ଯାକ ଘଟଣାକୁ ମଧ୍ୟ ଯୋଡି ଦେଖାଯାଉଛି ।