ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଅକୁ ଦେଲେ ସ୍ୱାନ୍ତ୍ୱନା।

676

କନକ ବ୍ୟୁରୋ: ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆପୋଲୋ ହସପିଟାଲରେ ଭର୍ତି ହେବା ପୂର୍ବରୁ ହସପିଟାଲରେ ପହଁଚି ସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗରେ ଥିଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଡାକ୍ତରୀ ଟିମ୍ ନବ ଦାସଙ୍କୁ ଓଟିକୁ ନେଉଥିବା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । କେବଳ ସେତିକି ନୁହେଁ, ନବ ଦାସଙ୍କ ପୁଅ କାନ୍ଦୁଥିବା ବେଳେ ତାଙ୍କୁ ସାନ୍ୱନା ଦେଇଥିଲେ ନବୀନ । କିଛି ସମୟ ହସପିଟାଲରେ ରହିଥିଲେ ମୁଖ୍ୟମନ୍ତ୍ରୀ ।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଭୂକମ୍ପ । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ବଡ଼ଧରଣର ରାଜନୈତିକ ହଲଚଲ । ଭୁବେନଶ୍ୱର ବିମାନବନ୍ଦର, ଆପୋଲୋ ହସପିଟାଲ୍ରେ ବିଜେଡି ନେତା, ମନ୍ତ୍ରୀ ପହଁଚିଥିଲେ । ଗୁରୁତର ଆହତ ନବ ଦାସଙ୍କୁ କିପରି ଏୟାରଲିଫ୍ଟ କରାଯାଇ ଶୀଘ୍ର ଆପୋଲୋ ହସପିଟାଲରେ ଭର୍ତି କରାଯିବ, ସବୁ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ତଦାରଖ କରିଥିଲେ । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ ସିଂ, ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା, ମନ୍ତ୍ରୀ ପହଁଚିଥିଲେ ଆପୋଲୋ ହସପିଟାଲରେ । ଓଡ଼ିଶାର ରାଜନୈତିକ ଇତିହାସରେ ଏପରି ଘଟଣା ବିରଳ । କୌଣସି ନେତା, ମନ୍ତ୍ରୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀ ତଥା ରାଜ୍ୟ ରାଜନୀତିର ଜଣେ ପ୍ରଭାବଶାଳୀ ନେତାଙ୍କୁ ଯେ କେହି ଗୁଳିମାଡ଼ କରିପାରେ ତାହାକୁ ବିଶ୍ୱାସ କରିପାରୁନାହାନ୍ତି ।