କିଶନନଗର ଥାନା ଆଗରେ କାହିଁକି ଦେହରେ ନିଆଁ ଲଗାଇଥିଲେ ଗୁଣନିଧି? ସତ କହିଲେ ପରିବାର ଲୋକ

184

କନକ ବ୍ୟୁରୋ: ବ୍ରିଟିଶ ଅମଳରୁ ଚାଲିଆସିଥିବା ପୋଲିସର ଚିନ୍ତାଧାରା ବଦଳିପାରୁ ନଥିବାରୁ ଗୁଣନିଧିଙ୍କ ଭଳି ଅସହାୟମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଉଛନ୍ତି । କିଶନ ନଗର ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିଥିବା ଗୁଣନିଧି ବିଶୋୟୀଙ୍କ ପତ୍ନୀଙ୍କ ବୁକୁ ଫଟା ଏହି କେଇପଦ କଥା ଅନେକ କଥା ବଖାଣୁଛି । ଆଉ ସୂଚାଇ ଦେଉଛି କେମିତି ଅସାହାୟ ହୋଇପଡିଛନ୍ତିି ପୂରା ପରିବାର ।

ଗୁଣନିଧି ବିଶୋୟୀ । ଘର କିଶନନଗର ଥାନା ଅଧିନ ଇଶାଣୀ- ବ୍ରହ୍ମପୁର ପଂଚାୟତ ସାଇକୋରୁଆ ଗାଁରେ । ଚାଷ କରିବା ସହ ଘର ପାଖରେ ଏକ ତେଜରାତି ଦୋକାନ କରି ସ୍ତ୍ରୀ, ଦୁଇ ପୁଅ, ବୋହୁ ଓ ଝିଅକୁ ନେଇ ସୁଖରେ ସଂସାର ଚଳାଇଥିଲେ ଗୁଣନିଧି । ହେଲେ, ନ୍ୟାୟ ପାଇବାକୁ ଥାନାକୁ ଦଉଡି ଦଉଡି ନିରାଶ ହେବା ପରେ ଶେଷରେ ଗତ ଗୁରୁବାର କିଶନନଗର ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ । ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ତାଙ୍କର ଶୁଦ୍ଧିକ୍ରିୟା ଚାଲିଛି ।

କିନ୍ତୁ ଏହି ଆତ୍ମହତ୍ୟା ପଛରେ ଯେଉଁ ରହସ୍ୟ ଲୁଚି ରହିଛି ତାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୁତୁରାର ଆକ୍ରମଣ, ଥାନା ଅଧିକାରୀଙ୍କ ପାତରଅନ୍ତର, ଅର୍ଥ ଲୋଭ ଓ କ୍ଷମତା ଚାପରେ ନ୍ୟାୟ ପାଇବାରୁ ବଂଚିତ ହୋଇ ଏଭଳି ଚରମ ନିଷ୍ପତି ନେଇଥିଲେ ଗୁଣନିଧି ।

ଜମିବାଡିକୁ ନେଇ ପୁତୁରା ସହ ଗୁଣନିଧିଙ୍କର ବିବାଦ ଲାଗିରହିଥିଲା । ଗତ ୧୯ତାରିଖରେ ଏହି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୁତୁରା ଆକ୍ରମଣରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା । ଜୀବନ ବଂଚାଇବା ପାଇଁ ଥାନାକୁ ନଯାଇ ପ୍ରଥମେ ଡାକ୍ତରଖାନାକୁ ଯାଇଥିଲେ । ଏହାରି ଭିତରେ ଥାନାରେ ପହଁଚି ତାଙ୍କ ବ ିରୋଧରେ ଆଗୁଆ ଏତଲା ଦେଇଥିଲେ ତାଙ୍କ ପୁତୁରା । ପୋଲିସ ମାମଲା ବି ରୁଜୁ କରିଦେଇଥିଲା । ହସ୍ପିଟାଲରୁ ଫେରି ଥାନାକୁ ଯାଇଥିଲେ ଗୋବିନ୍ଦ । ପୁତୁରା ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ହେଲେ, ତାଙ୍କ ଏଫଆରକୁ ପୋଲିସ ଗ୍ରହଣ କରିନଥିଲା ବରଂ ଚିରି ଦେଇଥିଲା । ଆଉ ପରେ ଗୁଣନିଧିଙ୍କୁ ଧମକ ଦେବା ସହ ନିର୍ଯାତନା ଦେଇଥିଲେ ଥାନା ଅଧିକାରୀ ।

ଚାରିଆଡୁ ଚାପ ପଡିବା ପରେ ଶେଷରେ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । କିନ୍ତୁ ଏଥିରେ ଖୁସୀ ନାହାଁନ୍ତି ପରିବାର ଲୋକେ ଥାନା ଅଧିକାରୀଙ୍କୁ ଗିରଫ କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ । .. ଯେ କୌଣସି ଲୋକ ଅଭିଯୋଗ ଧରି ଥାନାକୁ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଲୋକଙ୍କ ମତାମତ ନେଇ ଏହା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ବୁଝୁଛନ୍ତିି । ଏସବୁ ସତ୍ୱେ, ରାଜଧାନୀଠାରୁ ମାତ୍ର ୬୦ କିଲୋମିଟର ଦୂର ଥାନାରେ ଥିବା ଅଧିକାରୀ ଏତେ ବଡ ଅବହେଳା କଲେ କେମିତି? ଏଥିପାଇଁ ତାଙ୍କ ଉପରେ କାହାର ଚାପ ଥିଲା କି? ନା ହୋଇଥିଲା ଅର୍ଥ କାରବାର?