କରୋନା ପରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀଜୀଉଙ୍କ ଦୁଲର୍ଭବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ।

100

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଚାଲିଛି ଭକ୍ତଙ୍କ ଗହଳି । ଦୁଇବର୍ଷ ପରେ କରୋନା କଟକଣା ହଟିବା ପରେ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଛନ୍ତି । ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ନବଯୌବନ ବେଶ ଦର୍ଶନ କରିବାକୁ ଅଧିକ ଭକ୍ତଙ୍କ ଭିଡ ଲାଗିଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ମଧ୍ୟରାତ୍ରି ଯାଏଁ ଦର୍ଶନ ଚାଲିବ ।

୧୪ ଦିନ ପରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । କୋଭିଡ ଯୋଗୁଁ ଦୁଇବର୍ଷ ବନ୍ଦ ରହିବା ପରେ ଭକ୍ତିମୟ ପରିବେଶ ଓ ଭକ୍ତଙ୍କ ଗହଣରେ ଚାଲିଛି ନବଯୌବନ ଦର୍ଶନ । ଦିବ୍ୟ ମୂହୂର୍ତ୍ତରେ ଦିବ୍ୟଦର୍ଶନ ଲାଭ କରି ଭକ୍ତମାନେ ବିଭୋର ହୋଇଛନ୍ତି । ହଜାର ହଜାର ଭକ୍ତ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଆଖିରେ ଆସିଯାଇଛି ଆନନ୍ଦର ଅଶ୍ରୁ । ଏଥିପାଇଁ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି ।

ବୁଧବାର ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଥିଲା ଦର୍ଶନ । ପ୍ରଥମେ ପାରମାଣିକ ଟିକେଟଧାରୀ ପାଇଥିଲେ ଦର୍ଶନର ସୁଯୋଗ । ତାପରେ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଦର୍ଶନ ବ୍ୟବସ୍ଥା ବି ବେଶ ଶୃଙ୍ଖଳିତ ହୋଇଛି । ଶ୍ରୀଜୀଉଙ୍କର ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ନୀତି ବି ହୋଇଛି ।

ଶ୍ରୀମନ୍ଦିର ଭିତରକାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଗୁରୁବାର ଉଭାଯାତ୍ରା । ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବାର ବିଧି ରହିଛି । ନୀତି ନିର୍ଘଣ୍ଟ ଅନୁସାରେ ସକାଳ ୮ଟା ୪୫ରେ ଆଜ୍ଞାମାଳ ରଖଥଳାକୁ ବିଜେ କରିବ । ଏହାପରେ ତିନିରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଦକ୍ଷିଣ ମୋଡ ହେବ । ଏଥିପାଇଁ ଦିନ ୧୨ଟା ଯାଏଁ ଦର୍ଶନ ବନ୍ଦ ରହିବ । ଶୁକ୍ରବାର ଘୋଷଯାତ୍ରା ଥିବାରୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।