ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ଘରୋଇ ହିଂସା ମାମଲାର ଶୁଣାଣି କରି ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଏପଟେ ଆଗକୁ ବଢୁନି ରାଜନୈତିକ କ୍ୟାରିୟର ।

265

କନକବ୍ୟୁରୋ :ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ସମସ୍ୟା ହୁଏତ ପିଛା ଛାଡ଼ିବାର ନା’ ନେଉନି । ରାଜନୈତିକ ଜୀବନରେ ସ୍ଥିରତା ଖୋଜିବାରେ ବ୍ୟସ୍ତ ଥିବା ଅନୁଭବ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ, ଆଶା କରୁଥିଲେ ଅନ୍ତତଃ ବିଜେପିରୁ ଟିକେଟ ଖଣ୍ଡ ମିଳିଯିବ । ଲୋକସଭା ଆସନ ନହେଲେ ବିଧାନସଭା ଆସନ । ହେଲେ ସେତକ ବି ହେଲା ନାହିଁ । ବିଜେପି ଷ୍ଟାର ପ୍ରଚାରକ ସିନା କଲା ହେଲେ ଟିକେଟ୍ ମିଳିଲାନି ।

ରାଜନୈତିକ ଜୀବନ ଗୋଲକ ଧନ୍ଦା ନଛିଣ୍ଡୁନୁ, ବ୍ୟକ୍ତିଗତ ଜୀବନରେ ପୁଣି ମାଡ଼ି ଆସିଛି ଆଉ ଏକ ଅଡ଼ୁଆ । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ । ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ।

ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାୟ ଏଭଳି ଏକ ସମୟରେ ଆସିଛି, ଯେତବେଳେ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଟିକେଟ୍ ପାଇ ପ୍ରଚାର କରୁଛନ୍ତି, ଆଉ ରାଜନୀତିରେ ନୂଆ ଇଂନିସ୍ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ଅନୁଭବ ବିଜେପିରୁ ଟିକେଟ୍ ନପାଇ, ରାଜନୀତିରେ ତାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଅଙ୍କ କଷୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।