ରାଜ୍ୟ ରାଜନୀତିକୁ ସରଗରମ କଲା ପାଣ୍ଡିଆନଙ୍କ ମନ୍ତବ୍ୟ । ବିଜେଡି ନେତାଙ୍କ ମନ୍ତବ୍ୟ ପରେ ଆରମ୍ଭ ହେଲା ଚର୍ଚ୍ଚା । ବିଜେପିର ପ୍ରଶ୍ନ, ବିଜେଡିରେ ‘ସିନ୍ଦେ’ କିଏ?

224

କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଆଜି ହଠାତ୍ ସିନ୍ଦେ ପ୍ରସଙ୍ଗ ଚର୍ଚ୍ଚାର ପରିସରକୁ ଚାଲିଆସିଛି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ସିନ୍ଦେ କିଏ? ଆପଣଙ୍କୁ ମହାରାଷ୍ଟ୍ରର ଅପରେସନ ଲୋଟସର କଥା ନିଶ୍ଚୟ ମନେଥିବ । ମହାରାଷ୍ଟ୍ରରେ ମହାମେଣ୍ଟ ସରକାରକୁ ମାତ୍ ଦେଇ ଉଦ୍ଧବ ଠାକରେଙ୍କ ହାତରୁ ସରକାର ଛଡ଼ାଇ ଆଣିଥିଲା ବିଜେପି । ଏକନାଥ ସିନ୍ଦେ ବିଦ୍ରୋହ କରି ଉଦ୍ଧବ ସରକାରର ପତନ ଘଟାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ଏବେ ବିଜେଡିର ପ୍ରଭାବଶାଳୀ ନେତା ଭି.କେ ପାଣ୍ଡିଆନ କହିଛନ୍ତି ଓଡ଼ିଶାରେ ମଧ୍ୟ ଅପରେସନ ଲୋଟସ୍ ଚଳାଇବାକୁ ପ୍ରୟାସ କରୁଛି ବିଜେପି । ଆଉ ଏହି ସମୟରେ ବିଜେପି ପ୍ରଶ୍ନ କରିଛି, ତାହା ହେଲେ ବିଜେଡିରେ ଏକନାଥ ସିନ୍ଦେ କିଏ?

ବିଜେଡିର ସବୁଠାରୁ ଚର୍ଚ୍ଚିତ ଓ ପାୱାରଫୁଲ ନେତା କୁହାଯାଉଥିବା ଭି.କେ. ପାଣ୍ଡିଆନଙ୍କ ଏହିି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ରାଜନୈତିକ ମହଲ ଠାରୁ ଆରମ୍ଭ କରି ସବୁଠି ଏହା ଆଲୋଚନାର ପ୍ରସଙ୍ଗ ପାଲଟିଛି । ଏହି ଚର୍ଚ୍ଚା ଭିତରେ ପାଲଟା ପ୍ରଶ୍ନ କରିଛି ବିଜେପି । ବିଜେଡିରେ ସିନ୍ଦେ କିଏ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା । ସୂଚନାଯୋଗ୍ୟ ଯେ, ଏକନାଥ ସିନେ୍ଧ ଶିବସେନାରେ ବିଦ୍ରୋହ କରିବା ପରେ ସଂଖ୍ୟା ଗରିଷ୍ଠତା ହରାଇଥିଲା ଉଦ୍ଧବ ଠାକରେ ନେତୃତ୍ୱଧୀନ ମେଣ୍ଟ ସରକାର । ପରବର୍ତ୍ତୀ ସମୟରେ ଏକନାଥ ସିନ୍ଦେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଢ଼ିଥିଲେ ଓ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।

ତେବେ ନିର୍ବାଚନ ସମୟରେ, ପାଣ୍ଡିଆନ ମହାରାଷ୍ଟ୍ରର ଉଦାହରଣ ଦେବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଜନୀତି ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି । ଅନ୍ୟପଟେ କଂଗ୍ରେସ ଆହୁରି ସାଂଘାତିକ ଅଭିଯୋଗ ଆଣିଛି । ବରିଷ୍ଠ ନେତା ନରସିଂହ ମିଶ୍ର ବିଜେଡିର ଗୋଷ୍ଠୀ କନ୍ଦଳ କଥା ଉଠାଇ କଟାକ୍ଷ କରିଛନ୍ତି ।

ପାଣ୍ଡିଆନଙ୍କ ଅଭିଯୋଗ, ବିରୋଧୀଙ୍କ ପାଲଟା ଅଭିଯୋଗ ପରେ, ଓଡିଶାବାସୀଙ୍କ ମନରେ ଏକାଧିକ ପ୍ରଶ୍ନ ଉଙ୍କି ମାରୁଛି । ପ୍ରଶ୍ନ ଉଠୁଛି, ବିଜେପି ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ଓଡିଶାରେ ଅପରେସନ ଲୋଟସ ଚଳାଇବାକୁ ଯୋଜନା କରିଛି କି? ଯଦି ବିଜେପି ମହାରାଷ୍ଟ୍ର ଭଳି ଓଡିଶାରେ ଅପରେସନ ଲୋଟସ କରେ ଏହାକୁ କେମିତି ଚେକ୍ ଦେବ ବିଜେଡି?