“ସୁଶାନ୍ତ ସିଂ ବିଜେଡିର ସଚିନ ତେନ୍ଦୁଲକର । ସବୁ ନିର୍ବାଚନରେ ସେ ଛକା ମାରନ୍ତି” । ଭଟଲିରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଏମିତି କହିଲେ ପାଣ୍ଡିଆନ୍ ।

165

କନକ ବ୍ୟୁରୋ: ବିରୋଧୀ ଦଳକୁ ରୂପାନ୍ତରଣ କାମ ଦିଶୁନି । କିଛି ଲୋକ ଷଡଯନ୍ତ୍ର କରୁଛନ୍ତି କ୍ଷମତାକୁ ଆସିଲେ ମିଶନ ଶକ୍ତିକୁ ବନ୍ଦ କରିବେ । ମାଆଙ୍କୁ ସଶକ୍ତ କରୁଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ, ମମତା ଯୋଜନା ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ ବିରୋଧୀ ଯୋଜନା କରୁଛନ୍ତି । କିଛି ଏଭଳି କଥା କହି ଆଜି ଭଟଲିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ।

ବୁଧବାର ଭଟଲିରେ ଜନସଭା କରି ପାଣ୍ଡିଆନ୍ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କୁ ପରିବାର ବୋଲି ଭାବିଥାନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଦେଇଛନ୍ତି ନବୀନ ପଟ୍ଟନାୟକ । ଏଥିସହ ବିଜେପିର ବଡ ବଡ ନେତା ମିଛ କହିକି ଭୂଆଁ ବୁଲେଇବାକୁ ଚେଷ୍ଟା କରୁଛନ୍ତି । ୨୦୧୪ରେ ମଧ୍ୟ ସେମାନେ ଚାଷୀର ଏମଏସପି ଦୁଇଗୁଣା କରିବୁ କହିଥିଲେ । ୨୦୧୯ରେ ମଧ୍ୟ ସମାନ କଥା କହିଲେ । ତା ସହ ଫସଲ ବୀମାର ସରଳତା କରିବାକୁ କହିଥିଲେ, ହେଲେ ସେମାନେ କିଛି କଲେନି । ମୁଖ୍ୟମନ୍ତ୍ରୀ କିନ୍ତୁ ଫସଲ ବୀମା ପାଇଁ ପ୍ରିମିୟମ ହାଲକା କଲେ ବୋଲି କହିଛନ୍ତି ପାଣ୍ଡିଆନ୍ ।

ଅନ୍ୟପଟେ ବିଜେପି ନେତାମାନେ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ହେଲେ ଇଲେକ୍ସନ ସରିଲେ ତାଙ୍କୁ ପାଇବେନି । ଉପ ନିର୍ବାଚନ ହେଲେ ସେ ବହୁତ ଆସି ମିଠା ଖୁଆନ୍ତି, ହେଲେ ନିର୍ବାଚନ ସରିଗଲେ ଦେଖାଯାଆନ୍ତିନି ବୋଲି ପାଣ୍ଡିଆନ୍ କହିଥିଲେ । ଏଥିସହ ଛତିଶଗଡର ଉଦାହରଣ ଦେଇ ପାଣ୍ଡିଆନ୍ କହିଥିଲେ, ଆମ ପଡୋଶୀ ରାଜ୍ୟ ଛତିଶଗଡରେ ଡବଲ ଇଞ୍ଜିନ ଚାଲିଥିଲା । ତା ପରେ ତେଲ ସରିଗଲା, ଡବଲ ଇଞ୍ଜିନ ବନ୍ଦ ହେଇଗଲା । ତା ପରେ କଂଗ୍ରେସ ସରକାର ଆସିଲା, ସେଟା ବି ବନ୍ଦ ହେଇଗଲା । ତା ପରେ ପୁଣି ଡବଲ ଇଞ୍ଜିନ ସରକାର ଆସିଛି । ହେଲେ ଏହାପରେ ବି ସେଠାରେ ନକ୍ସଲ ସମସ୍ୟାର ଅନ୍ତ ଘଟିନି ।

ଏଥିସହିତ ଭଟଲି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂଙ୍କୁ ବିଜୁ ଜନତା ଦଳର ସଚିନ ତେନ୍ଦୁଲକର ବୋଲି କହିଥିଲେ ଭିକେ ପାଣ୍ଡିଆନ୍ । ସୁଶାନ୍ତ ସିଂ ସବୁବେଳେ ଛକା ମାରନ୍ତି । ଯେଉଁ ବି ନିର୍ବାଚନ ହେଲେ ସେ ଛକା ମାରିବାରେ ମାଷ୍ଟର । ସେଥିପାଇଁ ମୁଖ୍ୟମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବହୁତ ସମ୍ମାନ ଦିଅନ୍ତି ବୋଲି ପାଣ୍ଡିଆନ୍ କହିଥିଲେ ।