ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ କଡ଼ା ସମାଲୋଚନା । ପ୍ରଶ୍ନବାଣରେ ଛନ୍ଦି ପକାଇଲେ ଭି.କେ. ପାଣ୍ଡିଆନ୍ । ପାଲଟା ପ୍ରଶ୍ନ ପଚାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

153

କନକ ବ୍ୟୁରୋ: ୫ ଏଏମ୍ ଅଫିସର ଭାବେ ଦିନେ ପରିଚିତ ଥିବା ଭିକେ ପାଣ୍ଡିଆନ୍, ଆଜି ସକାଳ ୫ଟାରେ ପ୍ରଥମ ଥର ପାଇଁ ଗୋପାଳପୁରରେ ଆଞ୍ଚଳିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟିଛନ୍ତି । ଆଉ ଏହି ଅବସରରେ ଓଡ଼ିଶା ବିଜେପିର ଦୁଇ ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ପଚାରିଛନ୍ତି…

  • ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ, ଓଡ଼ିଶା ପାଇଁ କ’ଣ କରିଛନ୍ତି?
  • ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟ ନା’ ୫-ଟି ସ୍କୁଲ କେଉଁଠି ବେଶୀ ସୁବିଧା?
  • ଏନଏଚ-୫୫ କାମ ସରୁନି, ନିର୍ବାଚନ ସମୟରେ କାମକୁ ତ୍ୱରାନ୍ୱିତ କରାଯାଉଛି କାହିଁକି?
  • ଢେଙ୍କାନାଳ ଚାହୁଁଥିଲେ ହଠାତ୍ ସମ୍ବଲପୁରରୁ ଲଢ଼ିଲେ କାହିଁକି?
  • ଢେଙ୍କାନାଳର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ କରିଛନ୍ତି କ’ଣ?

ପ୍ରେସମିଟ୍ କରି ପାଣ୍ଡିଆନ୍ ଘନଘନ ଆକ୍ରମଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଅତି ହାଲୁକା ଭାବେ ନେଇଛନ୍ତି । ଜବାବରେ ଧର୍ମେନ୍ଦ୍ର ପାଲଟା ପ୍ରଶ୍ନ କରିଛନ୍ତି- ସେ କିଏ?
ଧର୍ମେନ୍ଦ୍ରଙ୍କ ଭଳି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ଟାର୍ଗେଟ୍ କରି ପାଣ୍ଡିଆନ୍ । ପୁରୀ ପରିକ୍ରମା ପ୍ରକଳ୍ପକୁ ଭୁବନେଶ୍ୱର ସାଂସଦ ଜୋରଦାର ବିରୋଧ କରିଥିଲେ ଏବଂ ମହାପ୍ରଭୁଙ୍କ କାମ ଅଟକାଇବାକୁ ଦାମୀ ଓକିଲ ଆଣିଥିଲେ ବୋଲି ଅଭିଯୋଗ କରିଛନ୍ତି । ଏଥିସହ ଉଠାଇଛନ୍ତି ଏକାଧିକ ପ୍ରଶ୍ନ…

  • ମହାପ୍ରଭୁଙ୍କ କାମ ଅଟକାଇବା ପାଇଁ କାହିଁକି ଉଦ୍ୟମ ହୋଇଥିଲା?
  • ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟ ଯାଇନଥିଲେ କି?
  • ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପାଇଁ ଏହା କ’ଣ ତାଙ୍କ ପ୍ରତିବଦ୍ଧତା?

ଏପଟେ ପାଣ୍ଡିଆନଙ୍କୁ ପାଲଟା ଆକ୍ରମଣ କରିଛନ୍ତି ବିଜେପି ନେତା । ଗୋଟି ଗୋଟି କରି ପ୍ରଶ୍ନର ଉତ୍ତର ଦେବା ସହ ୨୪ ବର୍ଷ ଶାସନର ହିସାବ ମାଗିଛି ବିଜେପି । ତେବେ ରାଜନୀତିର ବୟାନବାଜି ଭିତରେ ନିର୍ବାଚନ ଯେତିକି ପାଖେଇ ଆସୁଛି ଶୀର୍ଷ ନେତାଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି ।