ସେମିରେ କାହା ସହ ଲଢ଼ିବ ଭାରତ? ନ୍ୟୁଜିଲ୍ୟାଣ୍ଡର ସମ୍ଭାବନା ଉଜ୍ଜଳ

422

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହେବାକୁ ଯାଉଥିବା ବେଳେ ଏବେ ନଜର ସେମିଫାଇନାଲ ଉପରେ । ଲାଇନ୍ ଅପ୍ ଏକଦମ୍ ସ୍ଥିର ହୋଇ ନଥିବା ବେଳେ କିଏ କାହା ସହ ଖେଳିବ ଏନେଇ ଆକଳନ କରାଯାଉଛି । ପଏଂଟ ଟେବୁଲ ଓ ରନ୍ ରେଟ୍ ଆଧାରରେ ଏହି ସମୀକରଣ କରାଯାଉଛି । ଭାରତ ଏଯାଏଁ ବିଶ୍ୱକପରେ ୮ଟି ମ୍ୟାଚ୍ ଖେଳିସାରିଥିବା ବେଳେ ପ୍ରାୟ ସବୁ ମ୍ୟାଚକୁ ସହଜରେ ଜିତିସାରିଛି । ଏହାସହ ପଏଂଟ ଟେବୁଲ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ରନରେଟରେ ମଧ୍ୟ ଭାରତ ସବା ଆଗରେ ରହିଛି । ଭାରତର ଶେଷ ମ୍ୟାଚ୍ ନେଦରଲ୍ୟାଣ୍ଡସ୍ ସହ ଖେଳିବ । ତେଣୁ ଏହି ମ୍ୟାଚ୍ ରୋହିତ ବାହିନୀ ଜିତିବାର ସମ୍ଭାବନା ଖୁବ୍ ବେଶୀ । ତେଣୁ ଭାରତ ସେତେବେଳେ ମଧ୍ୟ ପଏଂଟ ଟେବୁଲରେ ଏକ ନମ୍ବରରେ ରହିଥିବ । ଏବେ କଥା ହେଉଛି ସେମିଫାଇନାଲରେ କାହା ସହ ଖେଳିବ ଭାରତ । ତେବେ ନ୍ୟୁଜିଲ୍ୟାଣ୍ଡ ସହ ସେମିଫାଇନାଲରେ ଭାରତର ଟକ୍କର ହେବାର ସମ୍ଭାବନା ସବୁଠୁ ଅଧିକ । ଗତଥରର ଉପବିଜେତା ନ୍ୟଜିଲାଣ୍ଡ ଏଯାଏଁ ୯ଟି ଲିଗ୍ ମ୍ୟାଚ୍ ଖେଳିିଥିବା ବେଳେ ୫ଟି ମ୍ୟାଚ୍ ଜିତି ୧୦ ପଏଂଟ ପାଇଛି । ପଏଂଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ସେମିଫାଇନାଲର ଚତୁର୍ଥ ସ୍ଥାନ ପାଇଁ ଏବେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ । ତେବେ ନ୍ୟୁଜିଲାଣ୍ଡର ରନ୍ରେଟ୍ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ଠାରୁ ବେଶ୍ ଭଲ ରହିଛି । ତେଣୁ ଯଦି ରନ୍ରେଟ୍ ଆଧାରରେ ଚତୁର୍ଥ ସ୍ଥାନ ନିରୂପଣ ହୁଏ, ସେତେବେଳେ ନ୍ୟୁଜିଲାଣ୍ଡର ସ୍ଥାନ ଏକ ପ୍ରକାର ପକ୍କା ହୋଇଯିବ, ଆଉ ଭାରତ ସହ ସେମିଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ ।

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବଡ଼ ବିଜୟ ପରେ ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ରାସ୍ତା ଏକପ୍ରକାର ବନ୍ଦ ହୋଇଯାଇଛି । କାରଣ ସେମିଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ଆଗରେ ଯେଉଁ ଲକ୍ଷ୍ୟ ରହିଛି, ତାହା ଅସମ୍ଭବ ମନେ ହେଉଛି । ପାକିସ୍ତାନ ତାର ଶେଷ ମ୍ୟାଚ୍ ଇଂଲଣ୍ଡ ସହ ଖେଳିବ । ଯଦି ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରେ ତାହେଲେ ଇଂଲଣ୍ଡକୁ ୨୮୭ ରନରେ ହରାଇବାକୁ ପଡ଼ିବ । ଆଉ ଯଦି ପ୍ରଥମେ ବୋଲିଂ କରେ , ତାହେଲେ ଇଂଲଣ୍ଡକୁ ୧୫୦ ରନରେ ଅଟକାଇବାକୁ ପଡ଼ିବ, ଏହାସହ ମାତ୍ର ୩ ଓଭର ୪ଟି ବଲରେ ଏହି ଟାର୍ଗେଟ ହାସଲ କରିବାକୁ ପଡ଼ିବ । ସେହିପରି ଯଦି ଇଂଲଣ୍ଡ ୫୦ ରନରେ ଅଲାଉଟ୍ ହୁଏ, ତାହେଲେ ପାକିସ୍ତାନକୁ ମାତ୍ର ୨ ଓଭରରେ ୫୧ ରନ୍ କରିବାକୁ ପଡ଼ିବ । ସେହିଭଳି ଯଦି ଇଂଲଣ୍ଡ ୧୦୦ ରନରେ ଅଲଆଉଟ୍ ହୁଏ, ତାହେଲେ ପାକିସ୍ତାନକୁ ମାତ୍ର ୩ ଓଭରରେ ୧୦୧ ରନ୍ କରିବାକୁ ପଡ଼ିବ । ସେପଟେ ଆଫଗାନିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ନିଜ ଶେଷ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୩୮ ରନରେ ହରାଇବାକୁ ପଡ଼ିବ । କ୍ରିକେଟ ଅନିଶ୍ଚିତତାର ଖେଳ । ହେଲେ ଏପରି ଲକ୍ଷ୍ୟକୁ ହାସଲ କରିବା ଅସମ୍ଭବ ମନେ ହୁଏ ।

ଲିଗ୍ ପର୍ଯ୍ୟାୟରେ ପଏଂଟ ଟେବୁଲରେ ଶୀର୍ଷ ଥିବା ଦଳ ସହ ପଏଂଟ ଟେବୁଲରେ ଚତୁର୍ଥ ସ୍ଥାନରେ ଥିବା ଟିମ୍ ସହ ପ୍ରଥମ ସେମିଫାଇନାଲ ମ୍ୟାଚ୍ ହେବ । ତେଣୁ ପ୍ରଥମ ସେମିଫାଇାଲ ମ୍ୟାଚ୍ ଭାରତ ଓ ନ୍ୟାଜିଲାଣ୍ଡ ମଧ୍ୟରେ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ । ସେପଟେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବା ନିଶ୍ଚିତ ହୋଇଯାଇଛି । ଉଭୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ୮ଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ ପଏଂଟ ଟେବୁଲରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ତେଣୁ ଏହି ଦୁଇ ମଧ୍ୟରେ ଦ୍ୱୀତୀୟ ସେମିଫାଇନାଲ ହେବ । କୋଲକାତାରେ ୧୬ ତାରିଖରେ ଏହି ମ୍ୟାଚ୍ ହେବାକୁ ଯାଉଛି ।