ବାଲେଶ୍ୱର ଲୋକସଭା ଆସନରୁ ଏଥର କିଏ? ପ୍ରତାପ, ରବୀନ୍ଦ୍ର. ନବଜ୍ୟୋତି ନା ଆଉ କିଏ?

290

କନକ ବ୍ୟୁରୋ : ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ । ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ । ଏହି ଆସନରୁ ବର୍ତମାନ ସାଂସଦ ଥିବା ପ୍ରତାପ ଷଡଙ୍ଗୀ, ଏକ ଚଚ୍ଚିତ ଚେହେରା । ୨୦୧୯ରେ ସେ ନିର୍ବାଚିତ ହେବା ପରେ ତାଙ୍କୁ ନେଇ ସାରାଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଥିଲେ । କିନ୍ତୁ ୨୦୨୪ରେ ବିଜେପି ତାଙ୍କୁ ପୁଣି ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିବ କି ନାହିଁ ତାହା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଆଉ ଏସବୁ ଭିତରେ ପ୍ରତାପଙ୍କୁ ବିଜେପି କୌଣସି ବିଧାନସଭା ଆସନରୁ ଛିଡା କରିପାରେ ବୋଲି ଆଲୋଚନା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା, ନୂଆ ସମ୍ଭାବନାକୁ ଖୋରାକ ଯୋଗାଇଛି ।

ରବୀନ୍ଦ୍ର କୁମାର ଜେନା । ୨୦୧୯ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା, ମାତ୍ର ୧୩ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । କିନ୍ତୁ ଏଥର ବିଜେଡି ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ୨୦୨୪ରେ ବିଜେଡି ନୂଆ ଚେହେରା ସାମନାକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ମୁଖିଆ ନିଷ୍ପତି ନେବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

ନବଜ୍ୟୋତି ପଟ୍ଟନାୟକ । ୨୦୨୧୯ରେ ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ବିଜେପିର ମୋଦୀ ଲହର ଓ ବିଜେଡିର ସବୁ ରଣନୀତି ସତ୍ୱେ ବି ସେ ୧ଲକ୍ଷ ୭୯ ହଜାର ଭୋଟ ପାଇଥିଲେ । ତେବେ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । କିନ୍ତୁ ଏଥର ବାଲେଶ୍ୱରରୁ ସେ ପୁଣି ଲଢ଼ିବାକୁ ଆଶା ରଖିଛନ୍ତି । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ନିର୍ବାଚନମଣ୍ଡଳୀକୁ ବାରମ୍ବାର ଗସ୍ତ କରିବା ଆଲୋଚନାର ବିଷୟ ହୋଇଛି ।

ତେବେ ବାଲେଶ୍ୱର ଏକ ଚର୍ଚ୍ଚିତ ଲୋକସଭା ଆସନ ହୋଇଥିବାରୁ, ଦଳର ଶୀର୍ଷ ନେତୃତ୍ୱ ରାଜନୈତିକ ଗତିବିଧି ଉପରେ ନଜର ରଖିଛନ୍ତି । ଆଉ ସେହି ଅନୁସାରେ ନିଷ୍ପତି ନେବେ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।