ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର

121

କନକ ବ୍ୟୁରୋ: ଏବେର ଯୁଗରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି । ସାଧାରଣତଃ ଗୁଗୁଲ୍ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ୍ ବିଜ୍ଞାପନ ମାଧ୍ୟମରେ ୱାର୍କ ଫ୍ରମ ହୋମ୍ ଏବଂ ‘ଘରେ ରହି ଟଙ୍କା ରୋଜଗାର କରିବେ’ ଭଳି କିୱାର୍ଡ ଜରିଆରେ ଠକେଇ ପାଇଁ ଜାଲ ବିଛାଯାଉଛି ।

  • ସୋସିଆଲ ମିଡିଆରେ ମାଳ ମାଳ ଜବ୍ ଅଫର
  • ପାର୍ଟ ଟାଇମ୍ ନାଁରେ ଅନ୍ତର୍ଜାତୀୟ ଠକେଇ!

ସୋସିଆଲ ମିଡିଆକୁ ମଞ୍ଚ ଭାବେ ଗ୍ରହଣ କରି ଦିନକୁ ଦିନ ସାଇବର ଅପରାଧୀ ଅପରାଧ ବଢାଇ ଚାଲିଛନ୍ତି । ଯାହାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପାର୍ଟ ଟାଇମ୍ ଚାକିରି ବାହାନା କରି ଠକେଇ କରୁଥିବା ୧୦୦ଟି ୱେବସାଇଟ୍ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏସବୁ ବିଦେଶରୁ ପରିଚାଳିତ ହେଉଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି । ଆଇଟି ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲୋକଙ୍କୁ ଠକିବା ପାଇଁ ଡିଜିଟାଲ୍ ବିଜ୍ଞାପନ, ଚାଟ୍ ମେସେଞ୍ଜର ଇତ୍ୟାଦି ବ୍ୟବହାର କରୁଥିଲେ । କାର୍ଡ ନେଟୱର୍କ, କ୍ରିପଟୋକରେନ୍ସି ଏବଂ ଆନ୍ତର୍ଜାତୀୟ କମ୍ପାନୀ କହି ବଡ ଆକାରର ଆର୍ଥିକ ଠକେଇ କରୁଥିଲେ ।

  • ସିମ୍ କ୍ଲୋନିଂ, କ୍ୟୁଆର କୋଡ ବଢ଼ାଇଛି ଚିନ୍ତା
  • ଠକେଇ ରୋକିବାକୁ ଅଣ୍ଟା ଭିଡିଲା କେନ୍ଦ୍ର

କ୍ୟାସେଲସ ପେମେଣ୍ଟ ଏବେ ବ୍ୟବସାୟକୁ ସୁଗମ କରିଛି । ତେଣୁ ଏହା ଉପରେ ଲୋକେ ଅଧିକ ନିର୍ଭରଶୀଳ ହେଉଛନ୍ତି । ଆଉ ଏହାର ଫାଇଦା ନେଇ ଠକେଇ କରୁଛନ୍ତି ସାଇବର ଅପରାଧୀ । ନଜର ପକାନ୍ତୁ, ଆରବିଆଇରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଉପରେ ।ଏବେ ଡିଜିଟାଲ ଆର୍ଥିକ ଠକେଇକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଭାରତ ସରକାର ଅର୍ଥ ମନ୍ତ୍ରାଳୟ, ଆରବିଆଇ, ଆଇଟି ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନକୁ ଏକାଠି କରି ଡିଜିଟାଲ ନେଣଦେଣ ପାଇଁ ନୂଆ ସୁରକ୍ଷା ବ୍ୟବସ୍ଥା ବିକଶିତ କରିବାକୁ ଚିନ୍ତା କରାଯାଉଛି । ସୁରକ୍ଷା ବୃଦ୍ଧି ଏବଂ ଜାଲିଆତି କାରବାରକୁ ରୋକିବା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ଆର୍ôଥକ ସୀମାରୁ ଅଧିକ କାରବାର ପାଇଁ ବାଧ୍ୟତାମୂଳକ ଫିଲଟର ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ଡିଜିଟାଲ୍ ପେମେଣ୍ଟ ପାଇଁ ଓଟିପିର ବ୍ୟବହାର ସାମିଲ ରହିଛି । ସେହିପରି ସିମ କାର୍ଡର କ୍ଲୋନିଂ ଏବଂ କ୍ୟୁଆର କୋଡର ନକଲି ବ୍ୟବହାରକୁ ରୋକିବା ପାଇଁ ଏକାଧିକ ଅଥେନଟିକେସନ ମଡ୍ୟୁଲ ଏବଂ ଫିଲଟର ଉପରେ ବିଚାର କରାଯାଉଛି । ଏହି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଲୋକଙ୍କୁ ସମ୍ଭାବ୍ୟ ଆର୍ôଥକ ଠକେଇରୁ ରକ୍ଷା କରିବାରେ ସହାୟକ ହେବ ।