ଯୁଆଡ଼େ ଯାଉଛନ୍ତି ମୋଦୀ, ବଢ଼ିଯାଉଛି ସେ ସ୍ଥାନର ଗୁରୁତ୍ୱ । ମୋଦୀଙ୍କ ଗସ୍ତ ପରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

659

କନକ ବ୍ୟୁରୋ: ଯେଉଁ ସ୍ଥାନକୁ ଯାଉଛନ୍ତି ମୋଦୀ, ବଢିଯାଉଛି ସେ ସ୍ଥାନର ଲୋକପ୍ରିୟତା । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେ ସ୍ଥାନ । ସେ ସ୍ଥାନକୁ ବଢୁଛି ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦ୍ୱାରିକା ଗସ୍ତ କରି ସେଠାରେ ଦ୍ୱାରିକାଧିଶଙ୍କ ପୂଜାର୍ଚ୍ଚନା କରିଛନ୍ତି । କେବଳ ସେତିକି ନୁହେଁ ସମୁଦ୍ରରେ ବୁଡି ପ୍ରାଚୀନ ଦ୍ୱାରିକା ନଗରୀର ଦର୍ଶନ ବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ସମୟର ଫଟୋ, ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି ।

ଲୋକେ ଦ୍ୱାରିକା ନଗରୀ ଆଉ ସମୁଦ୍ରରେ ବୁଡି ରହିଥିବା ପ୍ରାଚୀନ ଦ୍ୱାରିକା ନଗରୀ ବିଷୟରେ ଜାଣିବା ପାଇଁ ଇଣ୍ଟରନେଟରେ ସନ୍ଧାନ କରିବା ଆରମ୍ଭ କରି ଦେଇଛନ୍ତି । ମୋଦୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ହାସଲ କରିଛି । ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ କୋଟି କୋଟି ଫଲୋଅର ମୋଦୀଙ୍କ ଏହି ଭିଡିଓ ଦେଖିଛନ୍ତି । ମୋଦୀ ନିଜେ ମଧ୍ୟ ଦ୍ୱାରିକା ନଗରୀର ଭୁରି ଭୁରି ପ୍ରଶଂସା ବି କରିଛନ୍ତି ।

ତେବେ ମୋଦୀ ଯେଉଁ ସ୍ଥାନକୁ ଯାଉଛନ୍ତି, ସେ ସ୍ଥାନ ଚର୍ଚ୍ଚା ସାଉଁଟିବା କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଏମିତି ଅନେକ ଥର ଦେଖିବାକୁ ମିଳିଛି । ମୋଦୀ ଲାକ୍ଷାଦ୍ୱୀପ ଗଲେ, ସେଠାକାର ଭିତିଭୂମୀର ବିକାଶ ହେବା ସହ ଲୋକଙ୍କ ଲାକ୍ଷାଦୀପ ପ୍ରତି ଆଗ୍ରହ ବଢିଲା । କେବଳ ଲାକ୍ଷାଦ୍ୱୀପ ନୁହେଁ, ୨୦୧୯ରେ ମୋଦୀଙ୍କ କେଦାରନାଥ ଗସ୍ତ ପର୍ଯ୍ୟଟକଙ୍କ ଏହି ସ୍ଥାନ ପ୍ରତି ଆଗ୍ରହ ବଢାଇ ଦେଇଥିଲା ।

  • କେଦାରନାଥ ଗୁମ୍ଫାରେ ମୋଦୀଙ୍କ ଧ୍ୟାନ
  • ଚର୍ଚ୍ଚାରେ ରହିଥିଲା ଆଦିଶଙ୍କରଙ୍କ ପୂଜାର୍ଚ୍ଚନା

୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବାର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପହଁଚିଥିଲେ କେଦାରନାଥ । ଏଠାରେ ଗୁମ୍ଫାରେ ବସି ବେଶ କିଛି ସମୟ ଧରି ଧ୍ୟାନ କରିଥିଲେ ମୋଦୀ । କେଦାରନାଥଙ୍କ ପୂଜାର୍ଚ୍ଚନା ପରେ ଏହି ଗୁମ୍ଫାରେ ଧ୍ୟାନ କରିବା ସହ ସାରା ରାତି ଏହି ଗୁମ୍ଫାରେ ହିଁ ରହିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ କେଦାରନାଥର ଏହି ଗୁମ୍ଫା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । ସୋସିଆଲ ମିଡିଆରେ ମୋଦୀଙ୍କ ଧ୍ୟାନମୁଦ୍ରାର ଫଟୋ, ଭିଡିଓ ଭାଇରାଲ ହେବା ସହ ଏହି ସ୍ଥାନ ସ୍ୱତନ୍ତ୍ର ଭାବେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଗଲା । ମେ ୧୮, ୨୦୧୯ରେ ଏହି ସ୍ଥାନକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ଏ ସ୍ଥାନର ଲୋକପ୍ରିୟତା ଏତେ ବଢ଼ିଗଲା ଯେ, ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସମସ୍ତ ବୁକିଂ ହୋଇ ଯାଇଥିଲା ।

କେବଳ ସେତିକି ନୁହେଁ ପ୍ରତ୍ୟେକ ବର୍ଷ କେଦାରନାଥକୁ ପର୍ଯ୍ୟଟକଙ୍କ ଆଗମନ ବି ବଢିବାରେ ଲାଗିଲା । ଗଢ଼ୱାଲ ମଣ୍ଡଳ ବିକାଶ ନିଗମ ଅନୁସାରେ ଏହି ଗୁମ୍ଫାରେ ଏକ ରାତ୍ରି ପାଇଁ ୩,୭୦୦ ଟଙ୍କା ଶୁଳ୍କ ରହିଛି । ଯେତେବେଳେ ମୋଦୀ ଏହି ସ୍ଥାନକୁ ଯାଇଥିଲେ, ସେତେବେଳେ ରାତ୍ରିଯାପନର ଶୁଳ୍କ ୧୫୦୦ ଟଙ୍କା ଏବଂ କେବଳ ଦିନ ପାଇଁ ୯୦୦ ଟଙ୍କା ରହିଥିଲା । ସମୁଦ୍ର ଭାଗରୁ ୧୨ ହଜାର ଫୁଟ ଉଚ୍ଚରେ ରହିଥିବା ଏହି ଗୁମ୍ଫାରେ ରହିଛି ଶୋଇବା ପାଇଁ ଖଟ ଓ ୱାଇ-ଫାଇ ବ୍ୟବସ୍ଥା ।

  • ଚହଳ ପକାଇଥିଲା ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ
  • ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଲାକ୍ଷାଦ୍ୱୀପ

ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପର ସୁନ୍ଦର ବେଳାଭୂମୀରେ ବସି ଏହାକୁ ଉପଭୋଗ କରୁଥିବାର ନଜର ଆସିଲେ । ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତର ଫଟୋ, ଭିଡିଓ ସାମ୍ନାକୁ ଆସିବା ପରେ ଏହି ସ୍ଥାନକୁ ଇଣ୍ଟରନେଟରେ ଖୋଜିବା ଆରମ୍ଭ କଲେ ଲୋକେ । କେବଳ ସେତିକି ନୁହେଁ ଭାରତର ଲାକ୍ଷାଦ୍ୱୀପ ମାଳଦ୍ୱୀପ ଠାରୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ ବୋଲି କହିବା ଆରମ୍ଭ କଲେ ୟୁଜର । ଚାହୁଁ ଚାହୁଁ ଲାକ୍ଷାଦ୍ୱୀପ ପାଲଟିଗଲା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ । ବ୍ୟାପକ ସଂଖ୍ୟାରେ ବିମାନ ଓ ହୋଟେଲ ବୁକିଂ ହେବାରେ ଲାଗିଲା । ମାର୍ଚ୍ଚ-୨୦୨୪ ପର୍ଯ୍ୟନ୍ତ ଲାକ୍ଷାଦ୍ୱୀପକୁ ବିମାନ ଯାତ୍ରା ପାଇଁ ବୁକିଂ ଅନେକ ଦିନ ପୂର୍ବରୁ ହିଁ ଶେଷ ହୋଇ ସାରିଛି । ସେହିପରି ଅକ୍ଟୋବର ୨୦୨୩ରେ ମୋଦୀ ଉତ୍ତରାଖଣ୍ଡର ପିଥୋରଗଡ ସ୍ଥିତ ପାର୍ବତୀକୁଣ୍ଡ ଯାଇ ପୂଜାର୍ଚ୍ଚନା କରିଥିଲେ । ମୋଦୀଙ୍କ ଏହି ଗସ୍ତ କୈଳାଶ ପର୍ବତମାଳାର ଅପରୂପ ସୌନ୍ଦର୍ଯ୍ୟ ଦର୍ଶାଇଥିଲା । ଆଉ ତାଙ୍କର ଏହି ଗସ୍ତ ପରେ ପାର୍ବତୀକୁଣ୍ଡ ଉତରାଖଣ୍ଡର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଗଲା ।

ଏଥିରୁ ପ୍ରମାଣିତ ହୋଇଛି ଯେ, ଯୁଆଡେ ବି ମୋଦୀ ଯାଉଛନ୍ତି ସେ ସ୍ଥାନର ବି ଲୋକପ୍ରିୟତା ବଢି ଯାଉଛି । ଦେଶର ପର୍ଯ୍ୟଟନ କ୍ଷେତ୍ର ବିକାଶ କରିବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ବଡ ଭୂମିକା କହିବା ଅତ୍ୟୁକ୍ତି ହେବ ନାହିଁ ।