ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । କହିଲେ ବିଜେପି ଯୋଗୁଁ ଦିଲ୍ଲୀରେ ଦୁର୍ବିସହ ହେଲାଣି ଜୀବନ । ପରିଶ୍ରମ ଓ ତ୍ୟାଗ ପାଇଁ ମିଳୁ ମୋତେ ନୋବେଲ ପୁରସ୍କାର 

139

କନକ ବ୍ୟୁରୋ: ରବିବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି ଏହାକୁ ବ୍ୟାଖ୍ୟା କରୁ କରି କେଜ୍ରିୱାଲ କହିଥିଲେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଶାସନକୁ ବରଦାସ୍ତ କରିପାରୁନି ବିଜେପି  । ତେଣୁ ପ୍ରତ୍ୟେକ ସମୟରେ ତାଙ୍କୁ ହଇରାଣ କରାଯାଉଛି । ଫର୍ଜି ମାମଲାରେ ଫଶାଯାଉଛି । କଳେବଳେ କୌଶଳେ ଜେଲ ପଠାଇବାକୁ ଷଡ଼ଯନ୍ତ୍ର କରୁଛି ବିଜେପି ।  ବେଶ କଷ୍ଟକର ସ୍ଥିତିରେ ସେ ଦିଲ୍ଲୀକୁ ସମ୍ଭାଳିଛି । ଦିଲ୍ଲୀ ଓ ଦିଲ୍ଲୀବାସୀଙ୍କ ରକ୍ଷା ପାଇଁ ନିଜକୁ ବାଜି ଲଗାଇଦେଇଛନ୍ତି । ତେଣୁ ସେ ନୋବେଲ ପୁରସ୍କାରର ହକଦାର । ସେପଟେ କେଜ୍ରିୱାଲଙ୍କ ଅଭିଯୋଗର ପାଲଟା ଜବାବ ରଖିଛି ବିଜେପି ।

ସେପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ୭ଥର ସମନ ମିଳିବା ସତ୍ୱେ କେଜ୍ରିୱାଲ ହାଜର ହୋଇନାହାଁନ୍ତି । ଆପ୍ କହିଛି ମାମଲା କୋର୍ଟରେ ଅଛି । ଫଇସଲା ଆସିବା ପୂର୍ବରୁ ବାରମ୍ବାର ସମନ ପଠାଇବା ଇଡିର ଏକ ଷଡ଼ଯନ୍ତ୍ର । କଳେବଳେ କୌଶଳ କେଜ୍ରିୱାଲଙ୍କୁ ଗିରଫ କରିବାକୁ ବିଜେପି ଇସାରାରେ ତଦନ୍ତକାରୀ ସଂସ୍ଥା ସମନ ପଠାଉଥିବା ଆପ କହିଛି । ସେପଟେ ବିଜେପିକୁ କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି ।

ଯେତିକି ପାଖଉଛି ନିର୍ବାଚନ ସେତିକି ଅଧିକ ସକ୍ରିୟ ହୋଇପଡିଛି ତଦନ୍ତକାରୀ ସଂସ୍ଥା । ବିରୋଧୀଙ୍କ ଉପରେ ମାରାଥନ ଚଢ଼ାଉ ଓ ଜେରା କରୁଛନ୍ତି ଇଡି, ସିିବିଆଇ ଓ ଆଇଟି ପରି ତଦନ୍ତକାରୀ ସଂସ୍ଥା । ମହାରାଷ୍ଟ୍ର, ଝାଡ଼ଖଣ୍ଡ ପରେ ଏବେ ଦିଲ୍ଲୀରେ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଜେରା ପାଇଁ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ହାଜର ହେଉନଥିବା ଦଳ ପକ୍ଷରୁ କୁହାଯାଇଛି । ଏବେ ଦେଖିବାକୁ ବାକି ରହିଛି ଆପ-ଇଡି ମଧ୍ୟରେ ଚାଲିଥିବା ଏହି ଛକାପଞ୍ଝା ଆଗକୁ କେଉଁ ରୂପ ନେଉଛି ।