କୁଆଡେ ଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ? ଯୁବତୀଙ୍କ ଏତଲାରେ ରହିଛି ସହଯୋଗୀଙ୍କ ନାଁ

153

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କନକ ନ୍ୟୁଜ୍ ହାତରେ ଲାଗିଛି ଜଣେ ଯୁବତୀ ଥାନାରେ କରିଥିବା ଏଫ୍ଆଇଆରର ଏକ ଅଂଶ । ଏଥିରେ ଯୁବତୀ ଜଣଙ୍କ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ନାଁ ଉଲ୍ଲେଖ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ ।

ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଅସୁସ୍ଥତା ଯୋଗୁ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ହେଲେ କୁଆଡେ ଗଲେ ଏଫ୍ଆଇଆରରେ ନାଁ ଥିବା ଖଗେଶ୍ୱର । ଏହି ଖଗେଶ୍ୱର କିଏ ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ତାଙ୍କ ସଂପର୍କ କ’ଣ ? ସୂଚନା ଅନୁସାରେ କଟକ ସଦର ନିଆଳି ଅଂଚଳର ଖଗେଶ୍ୱର ରସୁଲଗଡ଼ରେ ଏକ ଛୋଟିଆ ଦୋକାନ କରିଥିଲା । ଜଗବନ୍ଧୁଙ୍କ ସହ ମିଶିବା ପରେ ମଂଚେଶ୍ୱର ଥାନା ଅଂଚଳରେ ଏକ ପୁରୁଣା ଗାଡି ସୋ’ ରୁମ୍ କରିଥିଲା । ଏଥି ସହିତ ଅର୍ଚ୍ଚନାର ନେଟୱର୍କ ସମ୍ଭାଳୁଥିଲା । ଖଗେଶ୍ୱରର ମଧ୍ୟ ଗାଁରେ ଅର୍ଚ୍ଚନା ଭଳି ବଡ଼ ବିଲଡିଂ ରହିଛି ।

ଆଜି କୋର୍ଟରେ ହାଜର ହେବେ ବ୍ଲାକମେଲ୍ ରାଣୀ ଅର୍ଚ୍ଚନା ନାଗ । ଝାରପଡ଼ା ଜେଲରୁ କୋର୍ଟରେ ହାଜର କରିବ କମିଶନରେଟ ପୋଲିସ । ଆଜି ତାଙ୍କ ବ୍ଲାକେମେଲିଂ ମାମଲାର ଶୁଣାଣି ହେବାର ଅଛି । କୁହାଯାଉଛି ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପୁଣି ପଚରାଉଚରା କରିପାରେ ପୁଲିସ । ଅର୍ଚ୍ଚନା ଜାମିନ ପାଇଁ କରିଛନ୍ତି ଆବେଦନ ।

ଏପଟେ ଅର୍ଚ୍ଚନାଙ୍କ ସହ ବିଜେପି ନେତା କେଭି  ସିଂହଦେଓଙ୍କ ଫଟୋ ଭାଇରାଲ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଲିସ ଅର୍ଚ୍ଚନା ରହୁଥିବା ଘରର ମାଲିକଙ୍କୁ ଜେରା କରିଛି । ବରମୁଣ୍ଡାରେ ଅର୍ଚ୍ଚନା ରହୁଥିବା ଭଡା ଘରର ମାଲିକଙ୍କୁ ପୁଲିସ ପଚରାଉଚରା କରିଛି । କେବେଠୁ ଅର୍ଚ୍ଚନା ସେଠାରେ ରହୁଥିଲେ, କେଉଁ କେଉଁମାନେ ସେଠାକୁ ଆସୁଥିଲେ, କେତେ ଟଙ୍କା ଭଡା ଦେଉଥିଲେ ଆଦି ପ୍ରଶ୍ନ ପଚାରିଛି ।