୭୩ ବର୍ଷ ଧରି ଚାଲିଛି ଚୀନ-ତାଇୱାନ ବିବାଦ । ତାଇୱାନରେ ଗଣତନ୍ତ୍ର ସ୍ଥାପନ କରିଥିଲେ କମ୍ୟୁନିଷ୍ଟ ବିରୋଧୀ ନେତା । ପଢନ୍ତୁ, ପୂରା କାହାଣୀ…

191

କନକ ବ୍ୟୁରୋ: ପୂର୍ବ ଏସିଆରେ ଚୀନ-ତାଇୱାନ ବିବାଦ କିଛି ନୂଆ କଥା ନୁହେଁ । ୭୩ ବର୍ଷ ଧରି ଏହି ବିବାଦ ଚାଲିଛି । ତାଇୱାନକୁ ନିଜର ବୋଲି ଦାବି କରିଆସୁଛି ଚୀନ । ତାଇୱାନ ଏହାକୁ ଗ୍ରହଣ କରୁନାହିଁ । ଏହି ଦେଶର ନିଜସ୍ୱ ସମ୍ବିଧାନ ଓ ସରକାର ରହିଛି ଆଉ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରି ନିଆଁରେ ଘିଅ ଢାଳିଛନ୍ତି । ଏଠାରେ ପେଲୋସି ଗଣତନ୍ତ୍ରକୁ ସମର୍ଥନ କରିବା ପରେ ଚିହିଁକି ଉଠିଛି ଚୀନ ।

  • ୭୩ ବର୍ଷ ଧରି ଚାଲିଛି ଚୀନ-ତାଇୱାନ ବିବାଦ
  • ତାଇୱାନରେ ଗଣତନ୍ତ୍ର ସ୍ଥାପନ କରିଥିଲେ କମ୍ୟୁନିଷ୍ଟ ବିରୋଧୀ ନେତା

ଚୀନର ଦକ୍ଷିଣ-ପୂର୍ବ ଉପକୂଳରୁ ୧୬୧ କିଲୋମିଟର ଦୂର । ଚୀନ ସରକାର ଦାବି କରି ଆସୁଛନ୍ତି, ଏହା ଚୀନର ଏକ ଅଂଶ । ଦିନେ ନା ଦିନେ ବେଜିଂ ସରକାରଙ୍କ ଶାସନ ଏଠାରେ ଚାଲିବ ବୋଲି ଆଶା ରଖିଛି ।

୧୮୯୫ରୁ ୧୯୪୫ ପର୍ଯ୍ୟନ୍ତ ଜାପାନ ଅଧୀନରେ ଥିଲା ତାଇୱାନ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ହାରିବା ପରେ ଶାସନ କରିଥିଲା ଚୀନ

କିନ୍ତୁ ୧୯୪୯ ମସିହାରେ ପୁଣି ବଦଳିଲା ସ୍ଥିତି

୭୩ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୪୯ ମସିହାରେ ଚୀନରେ ଗୃହ ଯୁଦ୍ଧ ହୋଇଥିଲା । କମ୍ୟୁନିଷ୍ଟ ବା ସାମ୍ୟବାଦ ସମର୍ଥକ ଓ ଲୋକତନ୍ତ୍ର ସମର୍ଥକ ମଧ୍ୟରେ ବିବାଦ ହୋଇଥିଲା । ଏହି ଗୃହଯୁଦ୍ଧରେ ସାମ୍ୟବାଦ ସମର୍ଥକଙ୍କ ପଲା ଭାରି ହୋଇଥିଲା । ମୂଳ ଭୂଖଣ୍ଡ ଛାଡ଼ି ତାଇୱାନରେ ଲୋକତନ୍ତ୍ର ସ୍ଥାପନ କରିଥିଲେ କମ୍ୟୁନିଷ୍ଟ ବିରୋଧୀ ନେତା ।

ଚୀନର ଲୋକତନ୍ତ୍ରରେ ବିଶ୍ୱାସ ରଖୁଥିବା ନେତା ରିପବ୍ଲିକ ଅଫ୍ ଚୀନ ଗଠନ କରିଥିଲେ । ନିର୍ବାଚନ ସରକାର ଶାସନ କରନ୍ତୁ ବୋଲି ସେମାନେ ଚାହୁଁଥିଲେ । ହେଲେ ସାମ୍ୟବାଦରେ ବିଶ୍ୱାସ କରୁଥିବା ନେତା ଅର୍ଥାତ ଗୋଟିଏ ପାର୍ଟି ହିଁ ସରକାର ଗଢ଼ୁ ବୋଲି ଯେଉଁ ନେତାମାନେ ଚାହୁଁଥିଲେ ସେମାନେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚୀନ ଗଠନ କରିଥିଲେ । ଗୃହଯୁଦ୍ଧରେ ହାରିଯିବା ପରେ ଚୀନ ମେନ୍ ଲ୍ୟାଣ୍ଡ ବା ମୂଳ ଭୁଖଣ୍ଡ ଛାଡି ଲୋକତନ୍ତ୍ରର ସମର୍ଥକମାନେ ତାଇୱାନରେ ଗଣତନ୍ତ୍ର ସ୍ଥାପନ କଲେ । ସେହିଦିନରୁ ହିଁ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ଲାଗିରହିଛି ।

ଆମେରିକା ସଂସଦର ବାଚସ୍ପତି ନାନ୍ସି ପାଲୋସିଙ୍କର ତାଇୱାନ ଗସ୍ତ ଯୋଗୁଁ ଚିହିଁକି ଉଠିଛି ଚୀନ । ତାଇୱାନ ଉପରେ ଚୀନର ଦାବିକୁ ଆମେରିକା ଚ୍ୟାଲେଞ୍ଜ୍ କରିବା ପରେ କଡ଼ା ଆଭିମୁଖ୍ୟ ଦେଖାଇଛି ବେଜିଂ ସରକାର । ଆମେରିଆ-ଚୀନର ଟକ୍କର ଭିତରେ କୁହାଯାଉଛି ଯେ ନିକଟରେ ଯୁଦ୍ଧର ଆଉ ଏକ ଆଖଡ଼ା ଶାଳ ବନିପାରେ ତାଇୱାନ ।

ଗଣତନ୍ତ୍ର ଓ ଏକଛତ୍ରବାଦ ମଧ୍ୟରୁ ଗଣତନ୍ତ୍ର ପଛରେ ଦୃଢ଼ ଭାବେ ଛିଡ଼ା ହେବ କହି ଆସୁଛି ଆମେରିକା । ଅର୍ଥାତ ଯଦି ତାଇୱାନ ବିରୋଧରେ ଚୀନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ତାଇୱାନ୍ ଆଗରେ ଢାଲ ହୋଇ ଛିଡ଼ା ହେବ ୱାଂଶିଟନ । ଏହାର ଅର୍ଥ ହେଉଛି ସାମ୍ନାମାମ୍ନି ହେବେ ବିଶ୍ୱର ଦୁଇ ସୁପର ପାୱାର । ଯଦି ଦୁଇ ଦେଶ ପରସ୍ପର ସହ ମୁହାଁମୁହିଁ ହୁଅନ୍ତି, ତେବେ ଭୟଙ୍କର ଆର୍ଥିକ ସ୍ଥିତି ଦେଇ ଗତି କରିବ ବିଶ୍ୱ । ଏପରିକି ବିଶ୍ୱର ରାଜନୈତିକ ସ୍ଥିତି ମଧ୍ୟ ବଦଳିଯିବ ।